ରାଇଛନ୍ଦା ବାଲିଘାଟରେ ଲୋକାୟୁକ୍ତ ଟିମ୍‌ର ତଦନ୍ତ, ନଦୀରେ ପାଣି ଥିବାରୁ ତଦନ୍ତରେ ବାଧା

କବାଟବନ୍ଧ : ଲୋକାୟୁକ୍ତଙ୍କ ନିର୍ଦେଶକ୍ରମେ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ ଗୁରୁବାର ଦିନ ଧର୍ମଶାଳା ତହସିଲ ଅଧୀନ ରାଇଛନ୍ଦା ବାଲିଘାଟକୁ ଆସି ତଦନ୍ତ କରିଛନ୍ତି। ପିଲାର ଓ ନକ୍ସା ଦେଖି ବିଭିନ୍ନ କୋଣରୁ ଫଟୋ ଉଠାଇଥିଲେ। ନଦୀରେ ପାଣି ଥିବାରୁ ବାଲି ଉତ୍ତୋଳନ ହୋଇଥିବା ଜାଗାକୁ ଏହି ଟିମ୍ ଯାଇପାରି ନଥିଲେ। ଗୁରୁବାର ପୂର୍ବାହ୍ନ ସାଢେ ୧୧ଟାରେ ଏହି ତଦନ୍ତକାରୀ ଦଳ ପହଞ୍ଚିଥିବାବେଳେ ସାଢେ ୧୨ଟାରେ ଅଧା ତଦନ୍ତକରି ଫେରିଯାଇଥିଲେ। ଏହି ଦଳ ତଦନ୍ତ ପାଇଁ ପୁଣିଥରେ ଆସିବେ ବୋଲି ସୂଚନା ମିଳିଛି। ଲୋକାୟୁକ୍ତଙ୍କ ଉପନିର୍ଦେଶକ ମାନଗୋବିନ୍ଦ ବିଶ୍ବାଳ, ଉପନିର୍ଦେଶକ (ଜଙ୍ଗଲ ବିଭାଗ) ସସ୍ମିତା ଲେଙ୍କାଙ୍କ ସମେତ ଧର୍ମଶାଳା ତହସିଲଦାର ସ୍ବାଗତ ଦାସ, ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ବାଇଁ ଓ କିଛି ଅମିନ ଏହି ତଦନ୍ତକାରୀ ଦଳରେ ସାମିଲ ଥିଲେ।

ରାଇଛନ୍ଦା ବାଲିଘାଟକୁ ଏସ୍‌ଟି ମେନେରାଲ୍ସ ନାମକ ଏକ ସଂସ୍ଥା ଦୀର୍ଘମିଆଦୀ ଭିତ୍ତିରେ ଲିଜ୍‌ ନେଇଥିଲା। ୨୦ ଏକର ଲିଜ୍ ଜାଗା ବାହାରୁ ବାଲି ଉତ୍ତୋଳନ କରିବା ଓ ବାର୍ଷିକ ୧୬ ହଜାର ୮ଶହ ଘନମିଟର ବାଲି ଉତ୍ତୋଳନ ପାଇଁ ନିୟମ ରହିଥିଲେ ମଧ୍ୟ ଲିଜ୍‌ଧାରୀ ୨ଟି ହିଟାଚି ମେସିନ ଯୋଗେ ଦିନକୁ ୫ ହଜାର ଘନମିଟର ବାଲି ଉତ୍ତୋଳନ କରୁଥିବା ନେଇ ସାମାଜିକ କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ନିକଟରେ ୮୬/୨୨ରେ ଏକ ମାମଲା ରୁଜୁ କରିଥିଲେ। ଲୋକାୟୁକ୍ତରେ ଏହି ବାଲିଘାଟ ମାମଲାର ଶୁଣାଣି ଆସନ୍ତା ନଭେମ୍ବର ୨୮ ତାରିଖରେ ଧାର୍ଯ୍ୟ ହୋଇଥିଲା। ତଦନ୍ତ ସଂପୂର୍ଣ୍ଣ ହୋଇନଥିବାରୁ ଶୁଣାଣି ତାରିଖ ଘୁଞ୍ଚିପାରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର