ବେଙ୍ଗାଲୁରୁରେ ଓଡ଼ିଶା ନିବେଶକ ସମ୍ମିଳନୀ : ସିଇଓମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

​ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରଦିନ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସେ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ସେ ଭେଟିଥିବା ସିଇଓମାନଙ୍କ ମଧ୍ୟରେ ଅଛନ୍ତି ପେଜ୍ ଇଣ୍ଟଷ୍ଟ୍ରିଜର ସିଇଓ ଭି.ଜି.ଗଣେଶ, ଟିଟିକେ ପ୍ରେଷ୍ଟିଜର ସିଇଓ ପି.ସତ୍ୟନାରାୟଣ, ଫ୍ଲିପକାର୍ଟର ରଜନୀଶ କୁମାର, ଆସେଞ୍ଚରର ଅଜୟ ବିଜ୍, ଇଣ୍ଡୋ-ନିସାନ୍ ଫୁଡ୍ସର ଗୌତମ ଶର୍ମା, ୟର୍ନେଷ୍ଟ ଓ ୟଙ୍ଗର ଗୌରବ ତନେଜା ଓ ଗ୍ଲୋବାଲ ଫନଣ୍ଡ୍ରିର ଜିତେନ୍ଦ୍ର ଚଢା ।

ଶ୍ରୀ ପଟ୍ଟନାୟକ ମଙ୍ଗଳବାରଦିନ ଦେଶର ବିଶିଷ୍ଟ ଶିଳ୍ପପତି ତଥା ଓ୍ବିପ୍ରୋର ଅଧ୍ୟକ୍ଷ ଅଜୀମ ପ୍ରେମଜୀଙ୍କୁ ସାକ୍ଷାତ କରିଥିଲେ । ଆସନ୍ତା ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ୫ମ ନିବେଶକ ସମ୍ମିଳନୀ ।

ବେଙ୍ଗାଲୁରୁର ହୋଟେଲ ତାଜ ଓ୍ବେଷ୍ଟ୍ ଏଣ୍ଡଠାରେ ଅନୁଷ୍ଠିତ ହୋଇଥିବା ଏହି ଇନଭେଷ୍ଟର ମିଟର ଫୋକସ କ୍ଷେତ୍ର ଥିଲା ଆଇଟି ଉଦ୍ୟୋଗ, ଇଲେକ୍ଟ୍ରୋନିକ ଉଦ୍ୟୋଗ, ବୟନ ଶିଳ୍ପ ଉଦ୍ୟୋଗ, ଇ-ଯାନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଅଟୋ ଓ ଅଟୋ ଯନ୍ତ୍ରାଂଶ, ପ୍ରତିରକ୍ଷା ଓ ଏରୋସ୍ପେସ ଉଦ୍ୟୋଗ ।

ଏହି ଅବସରରେ ୫ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ବିଭିନ୍ନ ଶିଳ୍ପ ଗୋଷ୍ଠୀର ମୁଖ୍ୟମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିବାକୁ ଆମନ୍ତ୍ରଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ମେକ୍ ଇନ ଓଡ଼ିଶା ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ୟ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର