ବିଜେଡିର ୨୭% ପ୍ରାର୍ଥୀ ସଂରକ୍ଷଣ ଘୋଷଣା ମିଛ: ବିଜେପି

ପଞ୍ଚାୟତ ନିର୍ବାଚନରେ ଓବିସି ପ୍ରାର୍ଥୀଙ୍କ ସଂରକ୍ଷଣ ପ୍ରସଙ୍ଗ

୨୦୧୨ ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ଆଇନ୍‌ରେ ୨୭% ସଂରକ୍ଷଣ ବ୍ୟବସ୍ଥା ଥିଲା
ସରକାରଙ୍କ ଅପାରଗତା କାରଣରୁ ଏହାକୁ ରକ୍ଷା କରାଗଲା ନାହିଁ

ଭୁବନେଶ୍ୱର : ପୂର୍ବରୁ ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଓବିସି ଏବଂ ଏସ୍‌ଇବିସି ବର୍ଗଙ୍କ ପାଇଁ ୨୭% ସଂରକ୍ଷଣର ବ୍ୟବସ୍ଥା ରହିଥିଲା ବେଳେ ରାଜ୍ୟ ସରକାର ନିଜ ଅପାରଗତା କାରଣରୁ ଏହାକୁ ରକ୍ଷା କରିପାରିଲେ ନାହିଁ । କିନ୍ତୁ ବିଜେଡି ଏବେ ପଞ୍ଚାୟତ ନିର୍ବାଚନ ଏବଂ ପରବର୍ତୀ ନିର୍ବାଚନରେ ୨୭% ଏହି ବର୍ଗର ପ୍ରାର୍ଥୀ ଦେବାର କହି ମିଛ ବାହାସ୍ପୋଟ ମାରି ଓଡିଶାବାସୀଙ୍କୁ ଯେଉଁ ଭୂଆଁ ବୁଲାଉଛି ତାହାକୁ ବନ୍ଦ କରୁ ବୋଲି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେଡି ସରକାର ଓବିସିମାନଙ୍କ ସ୍ୱାର୍ଥରକ୍ଷା କରିବାରେ ବିଫଳ ହୋଇଛି। ତେଣୁ ଓବିସିଙ୍କ ପାଇଁ ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣକୁ ଆଇନରେ ପରିଣତ କରୁ। ଓଡିଶାରେ ପଞ୍ଚାୟତ ନିର୍ବାଚନରେ ଆର୍ଥିକ ଅନଗ୍ରସର ଶ୍ରେଣୀଭୁକ୍ତ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ କିଛି ନୂଆ କଥା ନୁହେଁ । ପୂର୍ବରୁ ଓଡିଶାର ଲୋକାଲ ବଡି ନିର୍ବାଚନ ଆଇନରେ ଏହି ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଥିଲା । ୨୦୧୨ରେ ପଞ୍ଚାୟତ ନିର୍ବାଚନରେ ଓଡିଶା ଆଇନରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପାରଗତା, ସମ୍ବେଦନହୀନତା କାରଣରୁ ଏହାକୁ ରକ୍ଷା କରାଗଲା ନାହିଁ।

ପଞ୍ଚାୟତ, ପୌର ନିର୍ବାଚନ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଓଡିଶାରେ ଓବିସି ଓ ଏସ୍‌ଇବିସିଙ୍କ ପାଇଁ ୨୭% ସଂରକ୍ଷଣର ପ୍ରାବଧାନ ଥିଲା । ୨୦୧୭ ମସିହାରେ ଜିଲ୍ଳା ପରିଷଦ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନେଇ ସୁବାଷ ଚନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ଜିଲ୍ଲା ପରିଷଦ ନିର୍ବାଚନରେ ଓବିସି ବର୍ଗ ପାଇଁ ସଂରକ୍ଷଣ ରଖାଯାଇପାରିବ ନା ନାହିଁ ଥିଲା ଏହାର ବିଷୟବସ୍ତୁ । ଓଡିଶା ସରକାର ସେ ସମୟରେ ଯୁକ୍ତିଯୁକ୍ତ ବିଷୟ ଉପସ୍ଥାପନ କରିପାରିଲେ ନାହିଁ। ସବୁ କଥା କୋର୍ଟ ଉପରେ ଛାଡ଼ି ଦେଇ ଓଡିଶା ସରକାର ଏହି ମାମଲାରେ ବିଫଳ ହେଲେ। ତେଣୁ ବିଜେଡି ପଞ୍ଚାୟତ ନିର୍ବାଚନ ଏବଂ ପରବର୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବାକୁ କହି ଓଡ଼ିଶା ବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରୁ।

ବିଜେପିର ଅଭିଯୋଗ ମନଗଢ଼ା: ବିଜେଡି
ଭୁବନେଶ୍ୱର : ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଜଣେ ଅଭ୍ୟାସଗତ ମିଛୁଆ ଏବଂ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ । ବିଜେଡି ଦ୍ୱାରା ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ଘୋଷଣା ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ପୁଣିଥରେ ମିଥ୍ୟା ଓ ମନଗଢ଼‌ା କଥା କହିଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି।

ଶ୍ରୀ ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ଯେତେବେଳେ ନିର୍ବାଚନ ଆସେ ସେତେବେଳେ ସେ ଚେହେରା ଦେଖାନ୍ତି ଏବଂ ପରବର୍ତ୍ତୀ ନିର୍ବାଚନ ଆସିବା ପର୍ଯ୍ୟନ୍ତ ଅଦୃଶ୍ୟ ହୋଇଯାଆନ୍ତି । ସେ ମିଛ କହିବାରେ ଏତେ ଅଭ୍ୟସ୍ତ ଯେ ବର୍ତ୍ତମାନ ଓଡ଼ିଶା ବିଜେପି ତାଙ୍କୁ ମିଛ କହିବା ପାଇଁ ବ୍ୟବହାର କରୁଛି ଏବଂ ସେ ମଧ୍ୟ ଏହି ବ୍ୟବହାରରେ ଅଭ୍ୟସ୍ତ ହେଉଛନ୍ତି। କେବଳ ଏତିକି ନୁହେଁ ସର୍ବସାଧାରଣରେ ନିମ୍ନ ରୁଚିର ଏବଂ ଅପମାନଜନକ ଭାଷା ବ୍ୟବହାର କରିବାରେ ଶ୍ରୀ ଆଚାର୍ଯ୍ୟ ଧୂରନ୍ଧର। ଓଡିଶାର ଲୋକମାନେ ଏଭଳି ନିମ୍ନ ରୁଚିର ଅପମାନଜନକ ଭାଷାକୁ ପ୍ରଶଂସା କରୁନଥିବାବେଳେ ଓଡିଶା ବିଜେପି ଉପରେ ଏହାର ପ୍ରଭାବ ପ୍ରତିଫଳିତ ହେଉଛି। ଆମେ ଶ୍ରୀ ଆଚାର୍ଯ୍ୟଙ୍କୁ ଅନୁରୋଧ କରୁଛୁ କି ସେ ଅଭ୍ୟାସଗତ ଭାବେ ମିଛ କହିବା ବନ୍ଦ କରନ୍ତୁ ଏବଂ ସତ କହିବାକୁ ନିଜ ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ।

ସମ୍ବନ୍ଧିତ ଖବର