ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ  ଆଜି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୨ ଜଣ ମହିଳାଙ୍କୁ ସ୍ଥାନ ମିଳିଛି। ଏଥି ସହିତ ମନ୍ତ୍ରୀ ପ୍ରତାପ ଜେନା, ନବ କିଶୋର ଦାସ, ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମୀର ଦାଶ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ସୁଶାନ୍ତ ସିଂ ଓ ସୁଦାମ୍ ର୍ମାଣ୍ଡି ଏହି ତାଲିକାରେ ଅଛନ୍ତି। ସେହିପରି ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବ ମଧ୍ୟ ଷ୍ଟାର ପ୍ରଚାରକ ଭାବେ ମନୋନୀତ ହୋଇଛନ୍ତି। ସାଂସଦ ରାଜଶ୍ରୀ ମଲ୍ଲିକ  ଓ ଯୋଜନାବୋର୍ଡ ଉପାଧ୍ୟକ୍ଷ  ସଞ୍ଜୟ ଦାସ ବର୍ମା ବି ଏହି ତାଲିକାରେ ରହିଛନ୍ତି ।

ତେବେ ଚଳିତ ଥର ଷ୍ଟାର ପ୍ରଚାରକ ତାଲିକାରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀଙ୍କ ଭଳି ଚିତ୍ରତାରକାଙ୍କ ନାମ ରହିଛି । ତେବେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଛି ।

ତେବେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ  ବିଜେଡି ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବାଲେଶ୍ବର ସଦରରୁ  ସ୍ବରୂପ କୁମାର ଦାସ ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ  ତିର୍ତ୍ତୋଲ ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ  ବାଲେଶ୍ବରରେ ନୂଆ ମୁହଁ ଭାବେ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ତିର୍ତ୍ତୋଲରେ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି।

ସମ୍ବନ୍ଧିତ ଖବର