୧୫ବର୍ଷ ହେଲା ବସିନି ରାଜ୍ୟ ଯୋଜନା ବୋର୍ଡ ବୈଠକ

ଭୁବନେଶ୍ବର: ଯୋଜନା ପ୍ରଣୟନ, ତାହା ମୂଲ୍ୟାୟନ ଓ ରୂପାୟନ ସହ କାର୍ଯ୍ୟକାରିତା ସଂକ୍ରାନ୍ତରେ ସରକାରଙ୍କୁ ପରାମର୍ଶ ଦେବା ରାଜ୍ୟ ଯୋଜନା ବୋର୍ଡର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଗଚ୍ଛିତ ସାମଗ୍ରୀ, ପୁଞ୍ଜି ଓ ମାନବ ସମ୍ବଳକୁ ସୁବ୍ୟବସ୍ଥିତ ଭାବେ ନିର୍ଦ୍ଧାରଣ କରିବା ଏବଂ ସେଗୁଡ଼ିକର ସର୍ବାଧିକ ବିନିଯୋଗ ପାଇଁ କ୍ଷେତ୍ର ନିର୍ଦ୍ଧାରଣ କରିବା। ସେହିପରି ରାଜ୍ୟର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଓ ଉନ୍ନୟନ ପାଇଁ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ପଞ୍ଚବାର୍ଷିକ ଓ ବାର୍ଷିକ ଯୋଜନା ପ୍ରଣୟନ ପାଇଁ ଦୀର୍ଘ ମିଆଦି ଓ ସ୍ବଳ୍ପ ମିଆଦି ନୀତି ମାର୍ଗଦର୍ଶିକା ପ୍ରଦାନ କରିବା ହେଉଛି ରାଜ୍ୟ ଯୋଜନା ବୋର୍ଡର କାମ। ହେଲେ ଗତ ୧୫ବର୍ଷ ହେଲା ଯୋଜନା ବୋର୍ଡର ବୈଠକ ବସିନି।

ଏବେ ଯୋଜନା ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଅଛନ୍ତି। ଉପାଧ୍ୟକ୍ଷ କେହି ନଥିଲେ ବି ତିନି ଜଣ ନୂଆ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କ୍ୟାବିନେଟ୍ ଏବଂ ଜଣଙ୍କୁ ରାଜ୍ୟ ପାହ୍ୟା ମନ୍ତ୍ରୀ ମାନ୍ୟତା ପ୍ରଦାନ କରାଯାଇଛି। ଅଧ୍ୟକ୍ଷ କି ଉପାଧ୍ୟକ୍ଷ ଚାହିଁଲେ ଯେକୌଣସି ସମୟରେ ବି ବୈଠକ ଡକାଇ ପାରିବେ। କିନ୍ତୁ ୧୫.୧୦.୨୦୦୭ରେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ୧୫ବର୍ଷ ହେଲା ବୈଠକ ବସିନି କି ଆଗକୁ କେବେ ବସିବ ତାହା ନିଷ୍ପତ୍ତି ହୋଇନି। ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର