ଶ୍ରୀମନ୍ଦିର ପ୍ରତି ଏଏସ୍ଆଇର ଚରମ ଅବହେଳା : ନାଟମଣ୍ଡପ ମରାମତି ଚିତ୍ର ସ୍ପଷ୍ଟ କରୁନି
ଗରୁଡ଼ଖମ୍ବ ଉପର ବିମ୍ ଫାଟି ଆଁ, ସପୋର୍ଟ ସିଷ୍ଟମ୍ ପାଇଁ ଡିଜାଇନ୍ ଆସିନି
ପୁରୀ : ବଡ଼ଦେଉଳ ନାଟମଣ୍ଡପର ସ୍ଥିତି ଗମ୍ଭୀର। ବିମ୍ ଫାଟି ରହିଛି। ଛାତରେ ବି ଫାଟ। ଗରୁଡ଼ ଖମ୍ବ ବି ସୁରକ୍ଷିତ ବୋଲି କୁହାଯାଇପାରିବ ନାହିଁ। ଏହା ଉପର ବିମ୍ କେତେବେଳେ ଯେ ଫାଟି ଗଳିବ ତାହା କହିହେବ ନାହିଁ। ସ୍ବତନ୍ତ୍ର ବୈଷୟିକ କମିଟି ଅନୁଧ୍ୟାନ କରି ଏହାର ମରାମତି ପାଇଁ ପରାମର୍ଶ ଦେଇଛି। ହେଲେ ଆଜିଯାଏ କାମ ଆଗେଇ ନାହିଁ। ଏଏସ୍ଆଇ ଅଧିକାରୀମାନଙ୍କର ଦେଖା ଦର୍ଶନ ମିଳୁନାହିଁ। ଏଥିରୁ ଶ୍ରୀମନ୍ଦିର ପ୍ରତି ଏଏସ୍ଆଇର ଅବହେଳା ଜଳଜଳ ଦିଶୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁୟାରୀ ୫ ତାରିଖ ମୁଖ୍ୟ ପ୍ରଶାସକ ନାଟମଣ୍ଡପ ମରାମତି କାର୍ଯ୍ୟର ସମୀକ୍ଷା ବୈଠକ ଡାକିଥିଲେ। ହେଲେ ବୈଠକରେ ଏଏସ୍ଆଇ ଅଧିକାରୀମାନେ ଯୋଗଦେଲେନାହିଁ। ଫଳରେ ବୈଠକ ବାତିଲ୍ ହେଲା। କେବେ ପୁଣି ବୈଠକ ହେବ ସେ ସମ୍ପର୍କରେ ମଧ୍ୟ ଏଏସ୍ଆଇ ସମୟ ଦେଇନାହିଁ। ତେଣୁ ପ୍ରଶାସନିକ ସ୍ତରରେ ମରାମତି ନେଇ ବୈଠକ ହୋଇପାରୁନାହିଁ। ଫଳରେ ମରାମତି କାମ କିପରି ଓ କେବେ ହେବ ସେନେଇ ସ୍ପଷ୍ଟଚିତ୍ର ମିଳୁନାହିଁ। ତେଣେ ନାଟମଣ୍ଡପ ପ୍ରତି ବିପଦ ବଢ଼ୁଥିବା ଖୋଦ୍ ଏଏସ୍ଆଇ ବୈଷୟିକ କମିଟି ସଦସ୍ୟ କହୁଛନ୍ତି। ବିଶେଷକରି ଗରୁଡ଼ ଖମ୍ବ ଉପର ବିମ୍ ସାଂଘାତିକ ସ୍ଥିତିରେ ରହିଛି। ଏପରି ଅବହେଳା ନେଇ ପ୍ରଶାସନ ଏଏସଆଇକୁ ଶୀଘ୍ର ଚିଠି ଦେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ନାଟମଣ୍ଡପ ସ୍ଥିତି ୨୦୧୮ ଅଗଷ୍ଟ ୨୧ରୁ ୨୩ ତିନିଦିନ ଧରି ବିଶେଷଜ୍ଞମାନେ ଅନୁଧ୍ୟାନ କରିଥିଲେ। ଏହାପରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକରେ ତତ୍କାଳ ଗରୁଡ଼ ଖମ୍ବ ବିମ୍ର ସୁରକ୍ଷା ପାଇଁ ସପୋର୍ଟ ସିଷ୍ଟମ୍ ରଖିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜିଯାଏ ସପୋର୍ଟ ସିଷ୍ଟମ୍ ତିଆରି ହୋଇପାରିଲା ନାହିଁ। ଏହି ସିଷ୍ଟମ୍ର ଡିଜାଇନ୍ ଆଇଆଇଟି ଖଡଗପୁରରୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ହେବ। ତେଣୁ ଡିଜାଇନ୍କୁ ଅପେକ୍ଷା କରି ବସିଛି ଏଏସ୍ଆଇ।
ଏସବୁ ବ୍ୟବସ୍ଥା କେବେ ହେବ ଓ ମରାମତି କେବେ କରାଯିବ ସେ ନେଇ କୌଣସି ଚିତ୍ର ଏଏସ୍ଆଇ ସ୍ପଷ୍ଟ କରିନାହିଁ। ତେଣେ ମରାମତି ନେଇ ଅନ୍ଧାରରେ ରହିଛି ଶ୍ରୀମନ୍ଦିର ପ୍ରଶାସନ। ଏଏସ୍ଆଇ ନିକଟରୁ ବିସ୍ତୃତ ରିପୋର୍ଟ ମିଳିବା ପରେ ହିଁ ଠାକୁରଙ୍କ ନୀତି ପରିଚାଳନାକୁ ସଂଯୋଜିତ କରାଯିବ।