ସହରର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ବର ଉଠାଇବ ଜୟପୁର ପ୍ରେସ କ୍ଲବ

ଜୟପୁର: ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଜୟପୁର ପ୍ରେସ କ୍ଳବର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ପବନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜୟପୁର ସହରର ଅନେକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସଂପ୍ରତି ଯୁକ୍ତ ୨, ମାଟ୍ରିକ ସେମେଟିଭ୍ ୨ ସହ ସିଏବିଏସଇ ବୋର୍ଡ ପରୀକ୍ଷା ଚାଳିଛି। ଏପରି ସମୟରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମରେ ଡିଜେ  ଲଗାଯାଉଛି। ଏହି ‌ଡିଜେରେ ସୃଷ୍ଟି ହେଉଥିବା ଉଚ୍ଚ ଶବ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ  ପାଠପଢ଼ାର ଏକାଗ୍ରତାକୁ ନଷ୍ଟ କରୁଛି।

ସେହିପରି ସହରରବେିଭିନ୍ନ ଛକରେ ଲାଗିଥିବା ୮୫ଟି ସିସିଟିଭି କ୍ୟା‌ମେରା ମଧ୍ୟରେ ବହୁ ସଂଖ୍ୟାରେ ଅଚଳ  ରହିଥିବା ଯୋଗୁଁ ଅପରାଧୀକ କାର୍ଯ୍ୟକଳାପ ସହରରେ ବଢ଼ିଛି। ସେହିପରି ଯୁବ ଗୋଷ୍ଠୀଙ୍କ ଦ୍ବାରା ହାଇ ସ୍ପିଡ ବାଇକ ଚାଳନା ସହ ବିକଟାଳ ହର୍ଣ୍ଣ ଏବଂ ଗୋଟିଏ ବାଇକରେ ୩ରୁ ୪ଜଣ ବସିକି ଯାଉଥିବା, କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଟି ଓ ବାଇକରେ ଯିବା ଆସିବା କରୁଥିବା ବେଳେ ହେଲମେଟ୍ ପିନ୍ଧୁନଥିବାକୁ ନେଇ କ୍ଲବ ପକ୍ଷରୁ  ଚିନ୍ତା ପ୍ରକାଶ କରାଯାଇଛି। ବିଭିନ୍ନ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରୁ ବିପଦସଂକୁଳ ଅବସ୍ଥାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଅଟୋରେ ଗାଇଗୋରୁ, ଛେଳିମେଣ୍ଡା ଭଳି ବୁହାଯାଉଛି। ସହରର ଟ୍ରାଫିକ ସମସ୍ୟା ଦିନକୁ ଦିନ ଖରାଫ ହେ‌ବାରେ ଲାଗିଛି।

ଏସବୁ ସମସ୍ୟାକୁ ନେଇ  ତୁରନ୍ତ ଏହାର ସମାଧାନ ପାଇଁ ଜୟପୁର ଏସଡିପିଓଙ୍କର ଦୃଷ୍ଟି ଆକର୍ଷଣ କରି ଏକ  ଦାବି ପତ୍ର କ୍ଲବ ପକ୍ଷରୁ ପ୍ରଦାନ କରାଯିବାକୁ ନେଇ ନିଷ୍ପତ୍ତି ହୋଇଥିଲା। ସରକାରଙ୍କ ଗାଇଡ ଲାଇନକୁ ଉଲଂଘନ କରି ସ୍କୁଲ କତ୍ତୃପକ୍ଷ ଯେପରି ଭାବରେ ଛାତ୍ରଛାତ୍ରୀଙ୍କ ବହି ବସ୍ତାନୀର ଓଜନ ବଢାଇ ଚାଲିଛନ୍ତି ଏନେଇ ପ୍ରେସ୍ କ୍ଳବ ତରଫରୁ ବ୍ଳକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ସାମ୍ବାଦିକ ସୁରକ୍ଷା ଓ ଏକତା ସମ୍ପର୍କରେ ମଧ୍ୟ କ୍ଲବର ସଦସ୍ୟ ମାନେ ଆଲୋଚନା କରିଥିଲେ।ଏଥିରେ ସଭାପତି ପବନ ପାଣିଗ୍ରାହୀ, ସାଧାରଣ ସଂପାଦକ ସୁରେଶ ନାଇଡୁଙ୍କ ସହ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପଟ୍ଟନାୟକ,ତରୁଣ ମହାପାତ୍ର,ପଦ୍ମନାଭ ହୋତା,ରଶ୍ମି ରଥ,ରବି ନାୟକ,ସୁବାଷ ଦାସ ଓ ଯୋଗେନ୍ଦ୍ର ସିଂ ପ୍ରମୁଖ ଭାଗ ନେଇଥିଲେ।

 

ସମ୍ବନ୍ଧିତ ଖବର