ଯାଜପୁର ଜିଲ୍ଲା ହ୍ୟାଣ୍ତବଲ୍‌ ଆସୋସିଏସନ୍‌ର ରଜତ ଜୟନ୍ତୀ ଉତ୍ସବ

ଛତିଆ/ବୈରୀ : କ୍ରିକେଟ୍ ଖେଳ ପ୍ରତି ଜନସାଧାରଣଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହିଛି। ଆମର ପାରମ୍ପରିକ ଖେଳ କବାଡ଼ି, ଫୁଟବଲ, ହକି ସ‌ମେତ ଅନ୍ୟାନ୍ୟ ଖେଳର ପ୍ରସାର, ପ୍ରଚାର ଓ ସମୃଦ୍ଧି ପାଇଁ ସରକାର ଧ୍ୟାନ ଦେଉଛନ୍ତି। ଖେଳରେ ହାରଜିତ ବଡ଼ କଥା ନୁହେଁ; ଖେଳୁଆଡ଼ ମନବୃତ୍ତି ନେଇ ଖେଳିବା ଦରକାର ବୋଲି କ୍ରୀଡ଼ା, ଯୁବ ବ୍ୟାପାର ଓ ଆଇଟି ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

ମନ୍ତ୍ରୀ ଶ୍ରୀ ବେହେରା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଖେଳପଡ଼ିଆରେ ଆଜି ଯାଜପୁର ଜିଲ୍ଲା ହ୍ୟାଣ୍ତବଲ୍‌ ଆସୋସିଏସନ୍‌ର ରଜତ ଜୟନ୍ତୀ ଉଦ୍‌ଘାଟନ ଉତ୍ସବ‌ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ସମ୍ବିଧାନରେ ଜାତି ପ୍ରଥା ବିଲୋପ ହେଲାଣି ଅଥଚ କ୍ରୀଡ଼ା ଓ ରାଜନୀତିରେ ଜାତିଭେଦ ଜୋରଦାର ବଢିଯାଇଛି। ରାଜନୀତିରେ ଆମ ଲୋକ ,ତାଙ୍କ ଲୋକ ବୋଲି କୁହାଯାଉଛି। କ୍ରୀଡ଼ାରେ ସେହିପରି କ୍ରିକେଟ୍ ଯେତିକି ଆଦର ଅନ୍ୟ ଖେଳକୁ ସେପରି ଆଦର ନାହିଁ। କ୍ରୀଡ଼ାରେ ଜାତିଭେଦ ଦୂର କରିବା ପାଇଁ ଯାଜପୁର ହ୍ୟାଣ୍ଡବଲ ଖେଳକୁ ଗୁରୁତ୍ବ ଦେବାକୁ ଆରମ୍ଭ କରିଛନ୍ତି। ସେଥିପ୍ରତି ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥ‌ିଲେ। ଅନୁରୂପ ଭାବେ ସମ୍ମାନୀତ ଅତିଥି ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ ବିଭିନ୍ନ ରାଜ୍ୟ ଓ ଆମ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଖେଳାଳିଙ୍କୁ ସ୍ବାଗତ କରିଥିଲେ। ଏଥିସହିତ, ହ୍ୟାଣ୍ଡବଲ ଖେଳକୁ ଅଧିକ ବ୍ୟାପକ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ।

ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଘାଟନ ଉତ୍ସବରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ ସଭାପତିତ୍ବ କରିଥିଲେ। ଯାଜପୁର ଜିଲ୍ଲା ହ୍ୟାଣ୍ତବଲ ଆସୋସିଏସନ୍‌ର ସଭାପତି କେଶବ ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ପାଦକ ରମେଶ ପୃଷ୍ଟି ବିବରଣୀ ପାଠ କରିଥିଲେ। ଶେଷରେ ପଦ୍ମଲୋଚନ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଆସୋସିଏସନ୍‌ର କର୍ମକର୍ତ୍ତା ସନ୍ତୋଷ କୁମାର ସିଂ, ଭବାନୀ ଶଙ୍କର ମହାପାତ୍ର, ହରିହର ବିଶ୍ବାଳ, ଦୀପ୍ତିରଞ୍ଜନ ସାହୁ, ସୁରେନ୍ଦ୍ର ବିଶ୍ବାଳ, ଭବାନୀ ପ୍ରସାଦ ବେହେରା, ଭବାନୀ ଶତପଥୀ, ବଂଶୀଧର ନାଥ, ଚିନ୍ମୟୀ ସାହୁ, ରାଜେଶ ନାଥ, ରାକେଶ ନାଥ, ଅମରେନ୍ଦ୍ର ସାମନ୍ତରାୟ, ପ୍ରକାଶ ପୃଷ୍ଟି, ମନୋଜ ସାହୁ, ହେମନ୍ତ ସେଠୀ, ସଂଗ୍ରାମ ସିଂ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର