ସ୍କ୍ରିପ୍ଟ ସମାନ, ରେକର୍ଡିଙ୍ଗ ସମାନ, ନୂଆ କଥା କିଛି ନାହିଁ: ଜୟନାରାୟଣ

ଭଦ୍ରକ: ଧାମନଗର ଉପନିର୍ବାଚନ ପ୍ରଚାର ଚାଲିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଭିଡିଓ ବାର୍ତ୍ତା ସ୍ୱାଭିମାନୀ ଧାମନଗରବାସୀଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ଏକ ଟ୍ୱିଟ୍ ଜରିଆରେ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ରେକର୍ଡିଂ ଭିଡିଓ ବାର୍ତ୍ତାରେ ଯେଉଁ କଥାକୁ ଉଠାଇଛନ୍ତି ଏହି ବାର୍ତ୍ତାରେ କିଛି ନୂଆ ନାହିଁ। ବିଜେପୁରରେ ଦୁଇଟି ଉପନିର୍ବାଚନ, ପାଟକୁରା, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି, ବ୍ରଜରାଜନଗର ଉପନିର୍ବାଚନ ସମୟରେ କହିଥିବା ସମାନ କଥାକୁ ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ସ୍କ୍ରିପ୍ଟ ସମାନ, ରେକଡିଂ ସମାନ ଓ ପ୍ରସାରଣ ବି ସମାନ ଢଙ୍ଗରେ ହେଇଛି, ଯାହା ସ୍ୱାଭିମାନୀ ଧାମନଗରବାସୀଙ୍କ ସହ ଛଳନା ଭଳି ମନେ ହେଉଛି ।

ବିଗତ ଦିନରେ ଧାମନଗରବାସୀଙ୍କ ସହିତ ଛଳନା କରିଥିବାରୁ ଧାମନଗରବାସୀ ୨୦୧୯ ନିର୍ବାଚନରେ ବିଜେଡ଼ିକୁ ପରାସ୍ତ କରି ବିଜେପିର ଟାଣୁଆ ନେତା ସ୍ବର୍ଗତଃ ବିଷ୍ଣୁ ସେଠୀଙ୍କୁ ବିଜୟୀ କରିଥିଲେ । ଧାମନଗର କଣ ରାଜ୍ୟ ଭିତରେ ନୁହେଁ କି ? ମୁଖ୍ୟମନ୍ତ୍ରୀ ଭିଡ଼ିଓ ବାର୍ତ୍ତାରୁ ଲାଗୁଛି, ନିର୍ବାଚିତ ବିଧାୟକଙ୍କ ଦେହାବସାନ ହେଲେ ହିଁ ବିଜୁ ଜନତା ଦଳର ନେତାମାନେ ଦାୟିତ୍ୱ ନେବା ପାଇଁ ଆଗଭର ହୁଅନ୍ତି । ଏହା କଣ ସାଢେ ଚାରି କୋଟି ଓଡ଼ିଆଙ୍କର ପ୍ରତୀକ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ? ମୁଖ୍ୟମନ୍ତ୍ରୀ ଦାୟିତ୍ୱ କଣ ନିଅନ୍ତି, ଓଡ଼ିଶାବାସୀ ଭଲ ଭାବରେ ଜାଣିଲେଣି । ମୁଖ୍ୟମନ୍ତ୍ରୀ ଯେଉଁ ଅଞ୍ଚଳର ଦାୟିତ୍ୱ ନେବାର ଘୋଷଣା କରନ୍ତି ସେ ଅଞ୍ଚଳରେ ବିକାଶ ତଳକୁ ଖସୁଥିବା ସେଠାକାର ଜନସାଧାରଣମାନେ ଅନୁଭବ କଲେଣି । ଏହି ସରକାରରେ ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀରେ ସ୍ୱର ଉତ୍ତୋଳନ କରିଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି ।

ନାରୀ ନିର୍ଯ୍ୟାତନା ଓ ଶିଶୁ ଅପରାଧରେ ଓଡ଼ିଶା ଦେଶରେ ସର୍ବାଗ୍ରେ ରହିଛି । ନିମାପଡାର ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କୁ ଘଣ୍ଟ ଘୋଡାଇବା, ବହୁଚର୍ଚ୍ଚିତ ଅର୍ଚ୍ଚନା କେସରେ ତଦନ୍ତକୁ ବାଟମାରଣା କରି ନିଜ ଦଳର ନେତା ମନ୍ତ୍ରୀ ମାନଙ୍କୁ ସୁରକ୍ଷା ଦେଇ ନିଜେ ଚୁପ୍ ରହିବା, ଏହିଭଳି ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିର୍ବାହ କରନ୍ତି ବୋଲି ମନେ କରୁଛି । ଧାମନଗରବାସୀ ଭାରତୀୟ ଜନତା ପାର୍ଟି ସାଥୀରେ ଅଛନ୍ତି ଓ ରହିବେ ବୋଲି ସେ ଟ୍ୱିଟ୍ କରିଛନ୍ତି ।

ସମ୍ବନ୍ଧିତ ଖବର