ଜେଇଇ ମେନ୍‌-୩ ସ୍ଥଗିତ

ଭୁବନେଶ୍ବର : ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜେଇଇ ମେନ୍‌-୩ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷାର ୧୫ ଦିନ ପୂର୍ବରୁ ପରବର୍ତ୍ତୀ ସୂଚୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ ବୋଲି ପରୀକ୍ଷା ପରିଚାଳନା କରୁଥିବା ଏନ୍‌ଟିଏ(ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପରୀକ୍ଷାର୍ଥୀମାନଙ୍କୁ କୁହାଯାଇଛି ଯେ ସେମାନେ ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିଥାନ୍ତୁ। ଏନ୍‌ଟିଏ ଅଭ୍ୟାସ ଆପ୍‌ ମାଧ୍ୟମରେ ବି ସେମା‌ନେ ଘରେ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ସମ୍ପର୍କିତ ତ୍ବରିତ ସୂଚନା ଲାଗି ସେମାନେ ନିୟମିତ ଭାବେ www.nta.ac.in ୱେବସାଇଟ୍‌ ଦେଖିବାକୁ କୁହାଯାଇଛି। କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ୪ଟି ସେସନ୍‌ରେ ଜେଇଇ ମେନ୍‌ ଅନୁଷ୍ଠିତ ହେଉଛି। ଛାତ୍ରଛାତ୍ରୀ ପୂର୍ବରୁ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ପରୀକ୍ଷା ଦେଇ ସାରିଛନ୍ତି। ପ୍ରଥମ ସେସନ୍‌ ପରୀକ୍ଷା ଫେବ୍ରୁଆରି ୨୩ରୁ ୨୬ ଓ ଦ୍ୱିତୀୟ ସେସନ୍‌ ପରୀକ୍ଷା ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିଲା। ଏହାର ଫଳ ମଧ୍ୟ ପ୍ରକାଶ ପାଇ ସାରିଛି। ଫେବ୍ରୁଆରି ମାସରେ ହୋଇଥିବା ପରୀକ୍ଷାରେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିବା ବେଳେ ମାର୍ଚ୍ଚ ସେସନ୍‌ରେ ୫ ଲକ୍ଷ ୫୬ ହଜାର ୨୪୮ ଜଣ ପରୀକ୍ଷା ଦେଇଥିଲେ।

ସମ୍ବନ୍ଧିତ ଖବର