ବନ୍ଦ ହେଲା ଜୟପୁର ଓଏସ୍‌ଆର୍‌ଟିସି ଜୋନ୍‌, ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ତାଲା

ଜୟପୁର : ରାଜ୍ୟ ସଡ଼କ ପରିବହନ ନିଗମର ଜୟପୁର ୟୁନିଟ୍‌କୁ ବନ୍ଦ ରଖିବାକୁ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଜାରି କରିଛନ୍ତି। ଗତକାଲି ବିଭାଗୀୟ କର୍ତ୍ତୃପକ୍ଷ ଏଥିନେଇ ଏକ ଚିଠି କରିବା ସହ ଏହି ୟୁନିଟ୍ ଅଧୀନରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଦେଇଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏହି ନିର୍ଦ୍ଦେଶନାମା ଫଳରେ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ କେଉଁ କାରଣକୁ ନେଇ ଓଏସ୍‌ଆରଟିସି ଜୟପୁର ୟୁନିଟ୍‌କୁ ବନ୍ଦ କରିବାକୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ହେଁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ କରାଯାଇଛି। ସେହିପରି ୟୁନିଟ୍‌ର ମୋଟ ୮ଜଣ ରେଗୁଲାର କର୍ମଚାରୀ ରହିଥିବା ବେଳେ କାହାକୁ ବିଜୟନଗରମ୍ ୟୁନିଟ୍ ତ କାହାକୁ ମାଲକାନଗିରି ଓ କାହାକୁ ରାୟଗଡ଼ାକୁ ବଦଳି କରିଦିଆଯାଇଛି। ଏଭଳିକି ଏହି ୟୁନିଟ୍‌ରୁ କୌଣସି ବସ୍ ଚଳାଚଳ କରାଯିବ ନାହିଁ ବୋଲି ନିର୍ଦ୍ଦେଶ କରାଯାଇଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଓଏସ୍‌ଆରଟିସି ଏମ୍ପ୍ଲୋଇଜ୍ ୟୁନିଅନ୍‌ ସଭାପତି ବାଲା ରାୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏଭଳି ଷଡ଼୍‌ଯନ୍ତ୍ରକୁ କଦାପି ବରଦାସ୍ତ କରାଯିବ ନାହିଁ ବରଂ ଆସନ୍ତାକାଲିଠାରୁ ହିଁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଏ ନେଇ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ସହ ଯୋଗାଯୋଗ କରିବାରୁ ବର୍ତ୍ତମାନ କରୋନା କଟକଣା ଯୋଗୁଁ ବସ୍ ଚଳାଚଳ ବନ୍ଦ ରହିଛି। ଜୟପୁର ୟୁନିଟ୍‌କୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ସେ କହିଛନ୍ତି। ଜୟପୁର ୟୁନିଟ୍‌ରେ କର୍ମଚାରୀଙ୍କ ବିଶୃଙ୍ଖଳିତ ଆଚରଣ ସାଂଗକୁ ଅରାଜକତା ଲାଗି ରହୁଥିବାରୁ ଏଭଳି କଡ଼ା ନିଷ୍ପତ୍ତି ନିଆଯାଇଛି। କରୋନା ଜନିତ କଟକଣା ହଟିବା ପରେ ବସ୍ ଚଳାଚଳ ହେବା ସହ ଯାତ୍ରୀଙ୍କ ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ ବୋଲି କହିଛନ୍ତି। ତେବେ ଏହା ମାଲକାନଗିରିରୁ କିମ୍ବା ରାୟଗଡ଼ାରୁ କାର୍ଯ୍ୟକାରୀ କରାଯିବ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ଜନସାଧାରଣଙ୍କ ସ୍ବାର୍ଥରକ୍ଷା ପାଇଁ ଓଏସ୍‌ଆରଟିସି ନିଶ୍ଚିତ କାମ କରିବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

ସମ୍ବନ୍ଧିତ ଖବର