ଓଡ଼ିଶା ସ୍କୁଲ୍‌ ମୁହାଁ ଝାଡ଼ଖଣ୍ଡ ପିଲା

ଓଡ଼ିଆ ସ୍କୁଲଗୁଡ଼ିକରେ ଓଡ଼ିଆ ପିଲା‌ ଯେତିକି ପଢ଼ୁଛନ୍ତି, ଝାଡ଼ଖଣ୍ଡର ପିଲା ତା’ ଠାରୁ ଢେର ଅଧିକ

ରାଉରକେଲା : ଝାଡ଼ଖଣ୍ଡ ସରକାର ଦ୍ବିତୀୟ ଭାଷା ମାନ୍ୟତା ତାଲିକାରୁ ଓଡ଼ିଆକୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି ଚର୍ଚ୍ଚାରେ ରହିଥିବାବେଳେ ଓଡ଼ିଆ ଭାଷାକୁ ନେଇ ଗୋଟିଏ ଭଲ ଖବର। ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଅଣଦେଖା କରୁଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାକୁ ଲାଗି ରହିଥିବା ଝାଡ଼ଖଣ୍ଡର ଅଧିକାଂଶ ଇଲାକାର ପିଲାମାନେ କିନ୍ତୁ ଓଡ଼ିଆ ସ୍କୁଲକୁ ଗୁରୁତ୍ବ ଦେଉଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ସୀମାରେ ଥିବା ଏହି ଓଡ଼ିଆ ସ୍କୁଲଗୁଡ଼ିକରେ ଓଡ଼ିଆ ପିଲା‌ ଯେତିକି ପଢ଼ୁଛନ୍ତି, ଝାଡ଼ଖଣ୍ଡର ପିଲା ତା’ ଠାରୁ ଢେର ଅଧିକ।

ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକ ଅନ୍ତର୍ଗତ ଭାଲୁଲତା ସେବାଶ୍ରମ ସ୍କୁଲ, ଜରେଇକେଲା ପଞ୍ଚାୟତର ସମଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜରେଇକେଲା ସରକାରୀ ଉଚ୍ଚ ବିଦ୍ୟାଳୟ, ତୁଳସୀକାନୀ ପଞ୍ଚାୟତ ଅନ୍ତର୍ଗତ ତୁଳସୀକାନୀ ଉଚ୍ଚ ବିଦ୍ୟାଳୟ, ଝାରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବହୁ ଝାଡ଼ଖଣ୍ଡ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ପରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ବିଶ୍ରା କଲେଜକୁ ମଧ୍ୟ ପାଠ ପଢ଼ିବାକୁ ଆସୁଛନ୍ତି। ଅନୁରୂପ ଭାବେ ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ପନିଆସାଲ ପ୍ରାଥମିକ ବିଦ୍ୟାଳୟରେ ଝାଡ଼ଖଣ୍ଡର ହୃଦା, ରୁଙ୍ଘି, ବୁଲୁଣ୍ଡା ଆଦି ଅଞ୍ଚଳର ଶତାଧିକ ପିଲା ଓଡ଼ିଆ ପାଠ ପଢ଼ୁଛନ୍ତି। ଝାଡ଼ଖଣ୍ଡର ପରବା ଅଞ୍ଚଳର ପିଲାମାନେ ହାତୀବାରି ସ୍କୁଲକୁ ଆସୁଛନ୍ତି। ସେମିତି ଲୁଆରାମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯେତିକି ଓଡ଼ିଆ ପିଲା ପଢ଼ୁଛନ୍ତି, ତା’ଠାରୁ ଢେର ଅଧିକ ପିଲା ଝାଡଖଣ୍ଡର। କେବଳ ଶିକ୍ଷା ନୁହେଁ, ବ୍ୟବସାୟ ବାଣିଜ୍ୟ ଆତି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ବଜାର ଏମାନେ ଉପରେ ନିର୍ଭରଶୀଳ।

ଝାଡ଼ଖଣ୍ଡ ପିଲାଙ୍କ ଓଡ଼ିଆ ସ୍କୁଲ୍‌ ପ୍ରତି ଆଗ୍ରହ ପଛରେ ପ୍ରମୁଖ କାରଣ ହେଉଛି, ସୀମାନ୍ତ ଗାଁରେ ବାସକରୁଥିବା ଆଦିବାସୀ ଲୋକଙ୍କ ମୌଳିକ ସମସ୍ୟାକୁ ସେଠାକାର ସରକାର ବିଶେଷ ଗୁରୁତ୍ବ ଦେଉ ନାହାନ୍ତି। ‌ଏମାନଙ୍କ ଗାଁ ଠାରୁ ସ୍କୁଲ, କଲେଜ ଓ ବଜାର ବହୁଦୂରରେ ରହିଛି। ଯାତାୟାତରେ ସେମିତି କୌଣସି ସୁବିଧା ମଧ୍ୟ ସୁଯୋଗ ନାହିଁ। ନକ୍ସଲ ଉପଦ୍ରୁତ ଅଞ୍ଚଳ ହେତୁ ସ୍ଥାନୀୟ ଅଞ୍ଚଳର ଲୋକେ ଅଧିକ ଦୂରରେ ଥିବା ସ୍କୁଲ ଓ କଲେଜକୁ ଯିବାଲାଗି ଭୟ କରୁଛନ୍ତି। ଅନ୍ୟପଟେ ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଝାଡ଼ଖଣ୍ଡର ଯେଉଁ କେତୋଟି ଘରୋଇ ସ୍କୁଲ ରହିଛି, ସେଠି ପାଠ ପଢ଼ାଇବାକୁ ଗରିବ ଆଦିବାସୀମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ। ତେଣୁ ଓଡ଼ିଶା ସୀମାରେ ଥିବା ଝାଡ଼ଖଣ୍ଡର ଆଦିବାସୀମାନେ ସେମାନଙ୍କ ପିଲାଙ୍କ ପାଠପଢ଼ା ପାଇଁ ଝାଡ଼ଖଣ୍ଡ ସରକାରୀ ସ୍କୁଲ ବଦଳରେ ଓଡ଼ିଆ ସ୍କୁଲକୁ ବେଶି ପସନ୍ଦ କରୁଛନ୍ତି।

ଓଡ଼ିଶା ସରକାର ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଆ ସ୍କୁଲରେ ପାଠ ପଢ଼ୁଥିବା ଝାଡ଼ଖଣ୍ଡ ପିଲାମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇ ଆସୁଛନ୍ତି। ଝାଡ଼ଖଣ୍ଡର ପିଲାମାନଙ୍କ ଅଭିଭାବକ ଓଡ଼ିଆ ସରକାରୀ ସ୍କୁଲର ସୁବିଧା ସୁଯୋଗ ନେଇ ବେଶ୍‌ ଖୁସି ଅଛନ୍ତି।

ସେମାନେ କହନ୍ତି, ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଠିକ୍‌ ନାହିଁ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି। ପୁଣି ଝାଡ଼ଖଣ୍ଡର ସରକାରୀ ସ୍କୁଲଗୁଡ଼ିକ ସୀମାଠାରୁ ଢେର ଦୂରରେ ଅଛି। ତେଣୁ ପିଲାଙ୍କୁ ଓଡ଼ିଆ ସ୍କୁଲ ପଢ଼ାଉଛୁ।

ସମ୍ବନ୍ଧିତ ଖବର