ଧ୍ୱଂସ ମୁହଁରେ ପ୍ରାକୃତିକ ବିଭବ : ଆଉ ଆସିବେନି ଅତିଥି ପକ୍ଷୀ!

ଝାରସୁଗୁଡ଼ା : ଶିଳ୍ପ କାରଖାନା ପ୍ରତିଷ୍ଠା ପରେ ଝାରସୁଗୁଡ଼ା ସହର ଏକ ପ୍ରଦୂଷଣର ସହର ପାଲଟି ଯାଇଛି। ଦେଶର ଶହେ ଗୋଟି ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ସହରର ନାମ କେନ୍ଦ୍ର ପ୍ରଦୂଷଣ ବୋର୍ଡର ତାଲିକାରେ ଉଲ୍ଲେଖ ରହିଛି। ଶିଳ୍ପ ସହିତ କୋଇଲା ପରିବହନ ଏବଂ ବ୍ୟାପକ ମୋବାଇଲ ଟାୱାର ପରିବେଶକୁ ଧ୍ୱଂସ ଆଡ଼କୁ ଠେଲି ଦେଇଛି। ଶିଳ୍ପରୁ ନିର୍ଗତ ପାଉଁଶର ସଠିକ୍ ପରିଚାଳନା ନହେବାରୁ ଏହା ଜନବସତି ଭିତରେ ପଡ଼ି ଭୟଙ୍କର ବିପଦ ଆଡ଼କୁ ମୁହାଁଇଛି। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ତାପଜ ଶିଳ୍ପ ପରିବେଶର ମୁଖ୍ୟ ଶତ୍ରୁ ସାଜୁଥିବା ବେଳେ ଏହାର କୁପରିଣାମ ଯୋଗୁଁ ପରିବେଶ ସନ୍ତୁଳନ ହରାଇ ବ୍ୟାପକ କ୍ଷତିମଧ୍ୟ ଘଟିଛି। ସବୁଜ ଗ୍ରୀଷ୍ମରାଶି ସାଙ୍ଗକୁ ଜୀବଜନ୍ତୁ ଓ ପକ୍ଷୀ ଝାରସୁଗୁଡ଼ା ଜିଲ୍ଲାରୁ କେବେ ଠାରୁ ଉଭେଇ ଗଲେଣି। ଏଭଳି ପରିସ୍ଥିତିରେ ସହର ନିକଟସ୍ଥ ଜମେରା ପଞ୍ଚାୟତ ଅନ୍ତର୍ଗତ ସିଂହାବଗା ଗ୍ରାମକୁ ଲାଗାତାର କିଛି ବର୍ଷ ହେଲା ବିଦେଶୀ ପକ୍ଷୀଙ୍କ ଆଗମନ ପରିବେଶବିତ୍ ମାନଙ୍କ ପାଇଁ ଆଶା ସଂଚାର କରିଥିବା ବେଳେ ଏଠାରେ ଥିବା ହ୍ରଦକୁ ମଧ୍ୟ ଏବେ ପୋତି ଦେବାର ଚକ୍ରାନ୍ତ ଆରମ୍ଭ ହୋଇଯାଇଛି।

ସିଂହାବଗା ଗ୍ରାମ ନିକଟରେ ଇବ୍ ନଦୀ ଓ ଭେଡ଼େନ୍ ନଦୀର ପଛୁଆ ଜଳ ଅଞ୍ଚଳରେ ଏକ ବିସ୍ତିର୍ଣ୍ଣ ଅଞ୍ଚଳ ଓଡ଼ିଶାର ମଙ୍ଗଳାଯୋଡ଼ିର ଭ୍ରମ ସୃଷ୍ଟି କରି ଆସୁଛି। ପ୍ରତିବର୍ଷ ଡ଼ିସେମ୍ବର ଠାରୁ ମଇ ମାସ ପର୍ଯ୍ୟନ୍ତ ଏହି ସ୍ୱଚ୍ଛ ଜଳରାଶି ଉପରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ବିଚରଣ କରୁଥିବା ମନଲୋଭା ଦୃଶ୍ୟ ପରିବେଶବିତ୍ ଓ ଜନସାଧାରଣଙ୍କୁ ବେଶ ଆନନ୍ଦ ଦେଇ ଆସୁଛି। ଏହି ବିସ୍ତିର୍ଣ୍ଣ ଆର୍ଦ୍ରଭୂମି ବିଦେଶାଗତ ପକ୍ଷୀ ମାନଙ୍କ ପାଇଁ ନନ୍ଦନକାନନ ପାଲଟିଛି। ସ୍ୱଚ୍ଛ ଜଳରାଶି ସହିତ ପକ୍ଷୀଙ୍କ ପାଇଁ ଭରପୁର ଖାଦ୍ୟ ସାମଗ୍ରୀ ଯୋଗୁଁ ଏହି ଅଞ୍ଚଳକୁ ବିଭିନ୍ନ ପକ୍ଷୀ ଆକର୍ଷିତ ହେଉଛନ୍ତି। ଗତ କିଛି ବର୍ଷ ହେଲା ଶୀତ ଆରମ୍ଭରୁ ଗ୍ରୀଷ୍ମ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଲେସର୍ ହ୍ୱିସଲିଂ ଡକ୍, କମନ୍ ପୋଚାର୍ଡ଼, ଟପ୍ଟେଡ଼୍ ଡ଼କ୍, ଗ୍ରେଟ୍ କ୍ରେଷ୍ଟେଡ଼୍ ଗ୍ରେବ୍, କମନ୍ କୋର୍ଟ, ଲିଟିଲ କର୍ମୋରାଣ୍ଟ, ବ୍ଲାକ୍ ହେଡେଡ୍ ଗଲ୍, ରେଡ଼୍ କ୍ରେଷ୍ଟେଡ଼୍ ପୋଚାର୍ଡ଼, ବ୍ରାଉନ୍ ହେଡେଡ୍ ଗଲ୍, ପର୍ପଲ୍ ସ୍ୱୟମହେନ୍, ପର୍ପଲ୍ ମୋରହେନ୍, ବ୍ରଞ୍ଚ ଉଇଙ୍ଗ ଜାକାନା, ପର୍ପଲ୍ ହେରୋନ୍, କୋମନ୍ ଷ୍ଟିଲଟ୍, ୱାଟର ହେନ୍, ନରଦେନ୍ ପିନ୍ଟେଲ୍ ପ୍ରଭୃତି ପକ୍ଷୀ ଶହ ଶହ ସଂଖ୍ୟାରେ ଆସି ଏହି ସ୍ଥାନରେ ଭିଡ଼ ଜମାଇ ଥିବାରୁ ଅଞ୍ଚଳଟିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି। ଗତ କିଛି ବର୍ଷ ହେଲା ଏହି ଅଞ୍ଚଳକୁ ପକ୍ଷୀଙ୍କ ଆଗମନ ହେଉଥିବା ବେଳେ ଚଳିତ ବର୍ଷ ଅନୁକୂଳ ପାଗ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି କରିଛି। ପ୍ରଦୂଷଣରେ ଉବୁଟୁବୁ ହେଉଥିବା ଏହି ସହର ନିକଟରେ ଏତେ ପରିମାଣରେ ଜଳପକ୍ଷୀ ଆସିବା ଏକ ଶୁଭ ସୂଚନା ହୋଇଥିଲେ ମଧ୍ୟ ଏହାକୁ ସଂରକ୍ଷଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ଆଗ୍ରହ ପ୍ରକାଶ ପାଉନଥିବା ପରିବେଶବିତ୍‌ ମାନଙ୍କୁ ହତବାକ କରିଛି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳରେ ଥିବା ମଙ୍ଗଳାଯୋଡ଼ିକୁ ପକ୍ଷୀ ଅଭୟାରଣ୍ୟ ଘୋଷଣା କରାଯାଇଥିବା ବେଳେ ସିଂହାବଗା ଅଞ୍ଚଳକୁ ଯଦି ପ୍ରଶାସନ ପକ୍ଷରୁ ସଂରକ୍ଷଣ କରାଯାଇ ଏହି ଅଞ୍ଚଳରେ ଯେପରି ପକ୍ଷୀ ମାନେ ନିରାପଦରେ ସମାଗମ ହୋଇ ପାରିବେ ତାର ବ୍ୟବସ୍ଥା କଲେ ଭବିଷ୍ୟତରେ ଏହି ଅଞ୍ଚଳ ରାଜ୍ୟର ଦ୍ୱିତୀୟ ମଙ୍ଗଳଯୋଡ଼ି ପାଲଟିବ ବୋଲି ଆଶା କରାଯାଉଥିଲା। ଏ ସଂପର୍କରେ ଗତ ବର୍ଷ ଜାନୁୟାରୀ ମାସରେ ସମ୍ବାଦ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ତତ୍କାଳୀନ ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାୟକ ଡ଼ିଏଫ୍ଓ ସୁଶାନ୍ତ କୁମାରଙ୍କ ନେଇ ସେହି ସ୍ଥାନ ପରିଦର୍ଶନ କରିଥିଲେ ଓ ଏହି ଅଞ୍ଚଳର ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ଡ଼ିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା। ମାତ୍ର ଏକ ବର୍ଷ ପରେ ମଧ୍ୟ ବନ ବିଭାଗ ପକ୍ଷରୁ ଡ଼ିପିଆର୍ ପ୍ରସ୍ତୁତ କରାଯାଇ ପାରିନାହିଁ। ଅନ୍ୟ ପକ୍ଷରେ ଏହି ହ୍ରଦ କୂଳରେ ରେଳ ବିଭାଗର ଚତୁର୍ଥ ଲାଇନ ସଂପ୍ରସାରଣ ଯୋଗୁଁ ବ୍ୟାପକ ମେସିନ ଚଳାଚଳ କରୁଥିବାରୁ ଏଥର ବିଦେଶୀ ପକ୍ଷୀ ଗୁଡ଼ିକ ଆତଙ୍କିତ ହୋଇ ପଡ଼ୁଥିବା ଲକ୍ଷ୍ୟ କରାଯାଉଛି। ଏହି ପ୍ରକୃତିକ ବିଭବ ପ୍ରତି ଆଉ ଏକ ବିପଦ ମାଡ଼ି ଆସୁଥିବା ଶୁଣିବାକୁ ମିଳୁଛି। ତଲାବିରା ଠାରେ ଏନ୍ଏଲ୍ସି ତାର କୋଇଲା ଖଣି ଓ ତାପଜବିଦ୍ୟୁତ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଥିବାରୁ କମ୍ପାନୀ ଏହି ହ୍ରଦ ଉପର ଦେଇ ତାର ରେଳ ଲାଇନ ନିର୍ମାଣ କରିବାକୁ ପ୍ରସ୍ତାବ ରଖି ସାରିଛି। ଫଳରେ ପ୍ରଶାସନ ଏହି ଅଞ୍ଚଳର ବିକାଶ କରିବାକୁ ଜାଣିଶୁଣି ଚୁପ୍ ରହିଥିବା କୁହାଯାଉଛି। ଯଦି ଏନ୍ଏଲ୍ସି କୁ ରେଳ ଲାଇନ୍ ପାଇଁ ଏହି ଅଞ୍ଚଳ ଅଧିଗ୍ରହଣ କରାଯାଏ ତେବେ ଏହି ପ୍ରାକୃତିକ ବିଭବ ଅଚିରେ ଧ୍ୱଂସ ପାଇଯିବ ଓ ଏଠାରେ ଏହି ବିଦେଶୀ ପକ୍ଷୀ ମାନଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ।

ସମ୍ବନ୍ଧିତ ଖବର