ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ବିଜେପିର ମନଗଢ଼ା ବିବୃତି: ବିଜେଡି

ଭୁବନେଶ୍ବର : ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କ ସାଂଗଠନିକ ସମସ୍ୟା ପରେ ଓଡ଼ିଶାର ବିଜେପି ନେତା ଓ କ୍ୟାଡରମାନେ ଅତ୍ୟଧିକ ହତାଶ ଓ ଲକ୍ଷ୍ୟହୀନ ହୋଇପଡ଼ିଛନ୍ତି। ତେଣୁ ଏପରି ହତାଶ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ବିଜେପି ତାହାର କାର୍ଯ୍ୟକାରିଣୀ ବୈଠକରେ ମନଗଢ଼ା ବିବୃତିମାନ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ଏଲିନା ଦାସ କହିଛନ୍ତି।

ବିଜେପି ବିବୃତିର ଜବାବ ଦେଇ ଶ୍ରୀମତୀ ଦାସ କହିଛନ୍ତି ଯେ ଓଡ଼ିଶାରେ ଅତ୍ୟନ୍ତ ହତାଶ ଅବସ୍ଥାରେ ଥିବା ବିଜେପି କ୍ୟାଡରମାନଙ୍କର ମନୋବଳ ବୃଦ୍ଧି ପାଇଁ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ କି ମିଥ୍ୟା ବିବୃତିମାନ ଦିଆଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଆଦି ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶା ଅତି ସଫଳତାର ସହ କୋଭିଡ୍ ସ୍ଥିତିକୁ ମୁକାବିଲା କରିଛି। ଗ୍ରାମୀଣ ଗୃହ ନିର୍ମାଣ, ଏମ୍ଏନ୍ଆର୍ଇଜିଏ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ମଧ୍ୟ ପୁରସ୍କୃତ କରିଛନ୍ତି। ଓଡ଼ିଶାର ବିଜେପି ନେତାମାନେ ଏ ବିଷୟରେ ଆଦୌ ଅବଗତ ନାହାନ୍ତି। ବିଜେପିର ବିବୃତିରୁ ଜଣାପଡ଼ୁଛି ଯେ ଏହି ଦଳର ନେତାମାନେ କୋଭିଡ୍ ଉପରେ ଜଣେ ଜଣେ ଆତ୍ମଘୋଷିତ ବିଶେଷଜ୍ଞ ପାଲଟିଯାଇଛନ୍ତି। ସେମାନଙ୍କୁ କେନ୍ଦ୍ର ସରକାରଙ୍କ କୋଭିଡ୍ ପରାମର୍ଶଦାତା ଭାବେ ନିଯୁକ୍ତ କରାଯିବା ଉଚିତ, ଯାହା ଦ୍ବାରା ସେମାନେ ଅଧିକ ପ୍ରଭାବଶାଳୀ ଢଙ୍ଗରେ କୋଭିଡ୍ ପରିଚାଳନା ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇପାରିବେ ବୋଲି ଶ୍ରୀମତୀ ଦାସ କଟାକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର