ଜୁନାଗଡ଼ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା : ବିଜେପି ଗର୍ଜିଲା, ଜବାବ ଦେଲେ ମନ୍ତ୍ରୀ

ଭୁବନେଶ୍ବର : ଜୁନାଗଡ଼ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉପରକୁ ଅଙ୍ଗୁଳି ଉଠାଇଛି ରାଜ୍ୟ ବିଜେପି। ଦଳ ଅଭିଯୋଗ କରିଛି, ଶାସକ ଦଳ ଚାପରେ ଗଣଦୁଷ୍କର୍ମ ଘଟଣାକୁ ଚପାଇ ଦେବା ପାଇଁ ଚାଲିଛି ବଡ଼ ଷଡ଼୍‌ଯନ୍ତ୍ର। ଏହି ଘଟଣାରେ ଖୋଦ୍‌ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଭୋଦ ରଥଙ୍କ ସଂପୃକ୍ତି ରହିଛି। ଶାସକ ଦଳର ଇଙ୍ଗିତରେ ପ୍ରଥମେ ଜିଲ୍ଲା ଏସ୍‌ପି ମୁଖ୍ୟ ଅଭିଯୁକ୍ତଙ୍କୁ ରାଜସାକ୍ଷୀ କରି ଖସାଇ ଦେବା ପାଇଁ ଯୋଜନା କରିଥିଲେ। ଏବେ ପୀଡ଼ିତା କହିବା ପରେ ମୁଖ୍ୟ ଅଭିଯୁକ୍ତି ଲଳୀନ୍ଦ୍ର ଶବରକୁ ଗିରଫ କରାଯାଇଛି ବୋଲି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ତେବେ ମନ୍ତ୍ରୀ ଶ୍ରୀ ମିଶ୍ର ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ବଦନାମ କରିବା ପାଇଁ ଏପରି ଆରୋପ ଲଗାଯାଉଛି ବୋଲି କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାମନ୍ତସିଂହାର କହିଲେ, ଏହି ଗଣଦୁଷ୍କର୍ମ ଘଟଣା ପରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଶ୍ରୀ ରଥ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଫୋନ୍ କରିଛି। ଅଭିଯୁକ୍ତର ମୋବାଇଲ୍‌ କଲ୍‌ ରେକର୍ଡକୁ ପୁଲିସ୍‌ ଯାଞ୍ଚ୍ କରିବା ଦରକାର। ଗତ ୨୭ ତାରିଖରେ ବିଜେଡି ଏହି ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ସ୍ଥାନୀୟ ଥାନାକୁ ଯାଇ ପୁଲିସ୍‌ ଉପରେ ରାଜ‌େନୖତିକ ଚାପ ପକାଯାଇଥିଲା। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦୀନେଶ ଭର୍ଗତି ଓ ସମ୍ପର୍କୀୟ ଭଣଜା ସୁଧୀର ବେହେରା ଘଟଣାକୁ ରଫାଦଫା କରିବା ପାଇଁ ଆଇଆଇସିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ସେମ‌ାନେ ପୁଲିସ୍‌ ସହ କେଉଁ ବିଷୟରେ ଆଲୋଚନା କରୁଥିଲେ ତାହା ପୁଲିସ୍‌ ସ୍ପଷ୍ଟ କରିବା ଦରକାର। ଏହା ସହ ଥାନାରେ ଲାଗିଥିବା ସିସିଟିଭିକୁ ଯାଞ୍ଚ୍ କରି ଘଟଣାର ସତ୍ୟତାକୁ ଲୋକଲୋଚନକୁ ଅଣାଯାଉ। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ତାଙ୍କୁ ପୁଲିସ୍‌ ସୁରକ୍ଷା ଯୋଗାଇ ଦେବାକୁ ବିଜେପି ଦାବି କରିଛି।

ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ମିଶ୍ର କହିଛନ୍ତି, ଶ୍ରୀମତୀ ସାମନ୍ତସିଂହାରଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଓ ଆଇନ୍‌ର ବିରୁଦ୍ଧାଚରଣ କରୁଛି। ଏହା ତାଙ୍କର ଓ ତାଙ୍କ ଦଳର ହତାଶଭାବକୁ ଦର୍ଶାଉଛି। ସ୍ଥାନୀୟ ଅଞ୍ଚଳର ପ୍ରତିନିଧି ଭାବେ ନୁହେଁ, ଗୃହ ରା‌ଷ୍ଟ୍ର ମନ୍ତ୍ରୀ ଭାବେ ମୁଁ ପୁଲିସ୍‌ ତଦନ୍ତ ନେଇ ବିବୃତି ଦେଇଥିଲି। ଘଟଣା ସହ ମୋର ସଂପୃକ୍ତିର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ମୋତେ ବ୍ୟକ୍ତିଗତ ସ୍ତରରେ ବଦନାମ କରିବା ପାଇଁ ଏହି ହୀନ ଉଦ୍ୟମ କରାଯାଇଛି। ମିଥ୍ୟାର ସାହାରା ନେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଅପଚେଷ୍ଟା କରୁଛି। ଏହି ମାମଲାରେ ପୁଲିସ୍‌ ତଦନ୍ତ ଚାଲିଛି ଓ ଯିଏ ଦୋଷୀ ନିଶ୍ଚିତ ତାହା ବିରୋଧରେ ଆଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମତୀ ସାମନ୍ତସିଂହାରଙ୍କୁ ସଦ୍‌ବୁଦ୍ଧି ଉଦୟ ହେଉ ଓ ଏପରି ମିଥ୍ୟା ଅଭିଯୋଗ ଆଣିବାରୁ ସେ କ୍ଷାନ୍ତ ରୁହନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର