ଆଇନଶୃଙ୍ଖଳା ନେଇ ଗର୍ଜିଲେ ନରସିଂହ : ‘ମେଡିକାଲ କଲେଜ ହସ୍ପିଟାଲରେ ଚାଲିଛି ସେକ୍ସ ରାକେଟ୍‌’

ବାଇକ୍‌ରେ ଡ୍ରଗ୍ସ କାରବାର ଚାଲିଛି, ଦଳିତଙ୍କୁ ମିଳୁନି ନ୍ୟାୟ, ବିଧିବଦ୍ଧ ଅଭିଯୋଗ ନାହିଁ, ତଥାପି ଟ୍ରାକ୍‌ କରୁଛୁ: ଏସ୍‌ପି

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚାଲିଛି ସେକ୍ସ ରାକେଟ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସଂଗିନ ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ବିଧାୟକ ଶ୍ରୀ ମିଶ୍ର କହିଛନ୍ତି, ମେଡିକାଲ କଲେଜ ଅଂଚଳରେ ସେକ୍ସ କାରବାର ଚାଲିଥିବାର ବହୁ ଦିନରୁ ଅଭିଯୋଗ ହେଉଛି। ତାଙ୍କ ପାଖରେ ଏ ନେଇ ଅଭିଯୋଗ ପହଞ୍ଚିଛି। ପୁଲିସ ପାଖରେ ବି ଅଭିଯୋଗ ଅଛି। କିନ୍ତୁ ଏ ନେଇ ଠୋସ୍‌ ପଦକ୍ଷେପ ନିଆଯାଉନି। କିଛି ଦିନ ତଳେ ହସ୍ପିଟାଲରୁ ଦୁଇ ଚାରି ଜଣ ଦଲାଲଙ୍କୁ ଧରାଯାଇଛି। ଏତିକିରେ ପୁଲିସ ଓ ପ୍ରଶାସନ କାମ ସାରିଦେଲେ ଚଳିବ ନାହିଁ। ଆଗକୁ ହସପିଟାଲ କିଭଳି ଦଲାଲମୁକ୍ତ ହେବ ଓ ସେକ୍ସ ରାକେଟ ବନ୍ଦ ହେବ ସେ ଦିଗରେ ପଦକ୍ଷେପ ନେବା ଜରୁରି ବୋଲି ସେ କହିଛନ୍ତି। ହସ୍‌ପିଟାଲରେ ଏକ ବିଟ୍‌ ହାଉସ ଅଛି। ପୁଲିସ କର୍ମଚାରୀ ରହୁଛନ୍ତି। କିନ୍ତୁ ସେମାନଙ୍କ ନାକତଳେ ସବୁ କାରବାର ଚାଲିଛି। ଏଣୁ ଏଠାରେ ଶୀଘ୍ର ଏକ ଆଉଟ୍‌ପୋଷ୍ଟ କରିବାକୁ ସେ ଦାବି କରିଛନ୍ତି।

ଏଥିସହ ଶ୍ରୀ ମିଶ୍ର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି ବୋଲି କହିଛନ୍ତି। କେବଳ ସେକ୍ସ ରାକେଟ୍‌ ନୁ‌ହେଁ, ସହର ସାରା ଅବାଧ ନିଶାଦ୍ରବ୍ୟ କାରବାର ଚାଲିଛି। ଡ୍ରଗ୍ସ କବଳରେ ଏବେ ସହରର ଯୁବପିଢ଼ି। କେତେକ ଅସାମାଜିକ ଯୁବକ ବାଇକ୍‌ରେ ଡ୍ରଗ୍ସ ଧରି ବୁଲି ବୁଲି ବିକ୍ରି କରୁଛନ୍ତି। ଟାଉନ୍‌ ଥାନା ପଛପଟେ ଚାଲିଛି ମଦ କାରବାର। ବେଆଇନ କାରବାରକୁ ପୁଲିସ ପ୍ରଶ୍ରୟ ଦେଉଛି। ପାନ ଦୋକାନମାନଙ୍କରେ ବି ମଦ ବିକ୍ରି ଚାଲିଛି। ପୁଲିସ ପ୍ରଶାସନ ଯେଉଁଭଳି ପଦକ୍ଷେପ ନେବା କଥା ତାହା ନେଉ ନାହିଁ। ବହୁ ଦଳିତ, ଆଦିବାସୀଙ୍କ ମାମଲାରେ ପୁଲିସ ପାତରଅନ୍ତର କରୁଛି। ଦଳିତଙ୍କୁ ଶାସକ ଦଳର ଲୋକ ମାଡ଼ ମାରିଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କିନ୍ତୁ ବିରୋଧୀ ଦଳର ଲୋକଙ୍କୁ ଜେଲ୍‌ ପଠାଯାଉଥିବା ଶ୍ରୀ ମିଶ୍ର କହି କିଛି ଉଦାହରଣ ଦେଇଛନ୍ତି।

ବଲାଙ୍ଗୀରର ଯୁବ ବ୍ୟବସାୟୀ ଦୀପଙ୍କର ପଣ୍ଡାଙ୍କୁ ପାଟଣାଗଡ଼ ପୁଲିସ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏହି ଘଟଣାରେ କେବଳ ନିଲମ୍ବନ କଲେ ଚଳିବ ନାହିଁ। ପୁଲିସ ବିରୋଧରେ ବିଧିବଦ୍ଧ ଫୈାଜଦାରୀ ମାମଲା ରୁଜୁ କରାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ସେହିପରି ପାଟଣାଗଡ଼ ଥାନା ଟଙ୍କପାଣି ଗ୍ରାମର ପିଡିଏସ୍ ଚାଉଳ ଦୁର୍ନୀତିରେ ପଞ୍ଚାୟତରୁ ତଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଲୋକେ ସାମିଲ ଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜାଣିଶୁଣି ପୁଲିସ ମାମଲାକୁ ହାଲୁକା କରିଦେଇଛି ବୋଲି ସେ କହିଛନ୍ତି।

ବିଧିବଦ୍ଧ ଅଭିଯୋଗ ନାହିଁ, ତଥାପି ଟ୍ରାକ୍‌ କରୁଛୁ: ଏସ୍‌ପି
ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ବିଧାୟକ ଶ୍ରୀ ମିଶ୍ରଙ୍କ ଅଭିଯୋଗ ଉପରେ ବଲାଙ୍ଗୀର ଏସ୍‌ପି ସନ୍ଦୀପ ସମ୍ପତ୍‌ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ମେଡିକାଲ କଲେଜ ହସପିଟାଲ ପରିସରରେ ସେକ୍ସ ରାକେଟ ଚାଲିଥିବା ନେଇ କୌଣସି ବିଧିବଦ୍ଧ ଅଭିଯୋଗ ଆସି ନାହିଁ। ତଥାପି ଟ୍ରାକ୍‌ କରାଯାଉଛି। ପୁଲିସ ନଜର ରଖିଛି ଓ ସେଭଳି କିଛି ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର