ସାଇବର୍‌ ଠକଙ୍କ ଜାଲରେ କନିଷ୍ଠ ଯନ୍ତ୍ରୀ: ସିମ୍‌ କଟିଯିବ ଡରେଇ ଠକିନେଲେ ଅଢ଼େଇ ଲକ୍ଷ ଟଙ୍କା

ହୀରାକୁଦ : ଦିନକୁ ଦିନ ଆମେ ଯେତେ ଡିଜିଟାଲ ହେଉଛେ, ସାଇବର ଠକ ମଧ୍ୟ ଡିଜିଟାଲ ଯୁଗର ତାଳେ ତାଳେ ନୂଆ ନୂଆ ଜାଲ ବିଛାଇ ଲୋକଙ୍କୁ ଠକିବାରେ ଲାଗିଛନ୍ତି। ସିମ୍‌ ବନ୍ଦ ହୋଇଯିବା ଭୟରେ ଜଣେ କନିଷ୍ଠ ଯନ୍ତ୍ରୀ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଆଖି ପିଛୁଳାକେ ବ୍ୟାଙ୍କ ଆକାଉଣ୍ଟରୁ କଟିଗଲା ଅଢ଼େଇ ଲକ୍ଷ ଟଙ୍କା। ହୀରାକୁଦ ହିଣ୍ଡାଲ୍‌କୋରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ସାହୁ ଏ ନେଇ ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତ ୧୯ ତାରିଖରେ ତାଙ୍କ ମୋବାଇଲକୁ ଫୋନ କଲ ଆସିଥିଲା। ସାଇବର୍‌ ଠକ ଜଣକ ନିଜକୁ ବିଏସ୍‌ଏନ୍‌ର କଷ୍ଟମର କେୟାର ପ୍ରତିନିଧି ବୋଲି କହିବା ସହ ଆପଣଙ୍କର ବିଏସ୍‌ଏନ୍‌ଏଲ୍ ସିମ୍‌ର କେୱାଇସି କରେଇ ନିଅନ୍ତୁ ନହେଲେ ୨୪ ଘଣ୍ଟା ମଧ୍ୟରେ ସିମକୁ ଡିଆକ୍ଟିଟିଭେଟ ବା ଅଚଳ କରିଦିଆଯିବ ବୋଲି କହିଥିଲା। ପ୍ଲେ-ଷ୍ଟୋରରୁ ଟିମ୍‌ ଭ୍ୟୁଅର୍‌ କ୍ୟୁକ୍‌ ସପୋର୍ଟ ଡାଉନଲୋଡ କରିବାକୁ କହିଥିଲା। ଆପ୍‌ ଡାଉନ୍‌ଲୋଡ୍‌ ପରେ ଆପ୍‌ର ନମ୍ବର ସେୟାର କରିବାକୁ କହିଥିଲା। ନମ୍ବର ସେୟାର କରିବା ପରେ ଠକ ଜଣକ ତାଙ୍କୁ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲା। ଠକ ଯେମିତି କହିଲା ଠିକ ସେମିତି କରି ଚାଲିଲେ ସଞ୍ଜୟ।

ବିଏସ୍‌ଏନ୍‌ଏଲ୍‌ ସିମ୍‌ରେ ୧୦ ଟଙ୍କା ରିଚାର୍ଜ କରିବା ପରେ ସାଇବର୍‌ ଠକ ଜଣକ ତାଙ୍କ ଆକାଉଣ୍ଟ ଖୋଳ କରିବା ଆରମ୍ଭ କରିଦେଲା। ଲଗାତାର ଭାବେ ୩ଟି ଟ୍ରାନ୍‌ଜେକସନ୍‌ ସାଇବର୍‌ଠକ ସଞ୍ଜୟଙ୍କ ଆକାଉଣ୍ଟରୁ ଟଙ୍କା ନେଇଗଲା। ପ୍ରଥମ ୨ଟିରେ ୧ ଲକ୍ଷ ଲେଖାଏଁ କାଟିବା ପରେ ତୃତୀୟ ଟ୍ରାନ୍‌ଜେକ୍‌ସନ୍‌ରେ ୫୬ ହଜାର ଟଙ୍କା କାଟି ନେଇଥିଲା ସାଇବର୍‌ ଠକ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସଞ୍ଜୟ ଏ ନେଇ ହୀରାକୁଦ ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆମ୍ଭ କରିଛି।

ସମ୍ବନ୍ଧିତ ଖବର