ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ : ଏଏମ୍‌ ସଂସ୍ଥା ମୁଖ୍ୟଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ଏଏମ୍‌ ଫଣ୍ଡ୍‌ ମ୍ୟାନେଜର୍ସ ଲିମିଟେଡ୍‌ ସଂସ୍ଥାର ମୁଖ୍ୟ ଡି.କେ.ବେହେରାଙ୍କୁ ଏପ୍ରିଲ ୧୬ରେ ବ୍ୟକ୍ତିଗତ ଭାବେ ହାଜର ହୋଇ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ଚଟିଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ବେହେରାଙ୍କୁ ତାଙ୍କ ପଟ୍ଟାମୁଣ୍ଡାଇସ୍ଥିତ ବାସଭବନ ଠିକଣାରେ କମିସନ୍‌ ନୋଟିିସ୍‌ ପଠାଇଛନ୍ତି। ଏଥି ସହିତ ଏହି ସଂସ୍ଥା ଓ ଶ୍ରୀ ବେହେରାଙ୍କ ବିରୋଧରେ ଯଦି କୌଣସି ଅପରାଧିକ ମାମଲା ଥାଏ ତେବେ ସେ ସଂପର୍କରେ ରିପୋର୍ଟ ମାଧ୍ୟମରେ ଅବଗତ କରିବା ପାଇଁ କମିସନଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭, ନଭେମ୍ବର ୨୫ରେ ସଂସ୍ଥା ପକ୍ଷରୁ କେତେକ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ଚିଠି କରାଯାଇଥିଲା। ଜାରି ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ସଂପୃକ୍ତ ଜମାକାରୀ ନିବେଶ କରିଥିବା ଟଙ୍କା ଫେରି ପାଇବା ପାଇଁ ଡିସେମ୍ବର ୧୯ ତାରିଖ ଦିନ କମିସନଙ୍କ କାର୍ଯ୍ୟାଳୟରେ ହାଜର ହେବେ। ଜମାକାରୀ ନିଜ ପରିଚୟପତ୍ର, ଜମାରାଶି ସଂପର୍କିତ ନଥିପତ୍ର ସହିତ ହାଜର ହେବା ପାଇଁ କୁହାଯାଇଥିଲା। ଯଦି ଜମାକାରୀ ନ ଆସନ୍ତି ତେବେ ସେ ଏଏମ୍‌ ସଂସ୍ଥାରେ ନିବେଶ କରି ନାହାନ୍ତି ବୋଲି ଧରି ନିଆଯିବ ଓ ସଂସ୍ଥା ବିରୋଧରେ ଥିବା ଅଭିଯୋଗ ମିଛ ବୋଲି ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ଏପରି ଚିଠି ପାଇ କମିସନଙ୍କ କାର୍ଯ୍ୟାଳୟରେ ଜମାକରୀମାନେ ଡିସେମ୍ବର ୧୯ରେ ପହଞ୍ଚିଥିବା ବେଳେ ସଂସ୍ଥାର କୌଣସି ପଦାଧିକାରୀ ଉପସ୍ଥିତ ନଥିଲା।

ଏପରି ଘଟଣା କମିସନଙ୍କ ନଜରକୁ ଆସିବା ପରେ ଜମାକରୀଙ୍କ ଘରକୁ ଯାଇ ସେମାନଙ୍କ ଟଙ୍କା ଫେରାଇବା ପାଇଁ ଏଏମ୍‌ ସଂସ୍ଥାକୁ କମିସନ୍‌ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ୨୦୧୮, ଜାନୁଆରି ୨୫ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସଂସ୍ଥା ମୁଖ୍ୟ ଶ୍ରୀ ବେହେରାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୩୫ ଜଣ କ୍ଷୁଦ୍ର ଜମାକରୀଙ୍କ ମଧ୍ୟରୁ ମାତ୍ର ୪ଜଣଙ୍କୁ ସଂସ୍ଥାର ପ୍ରତିନିଧି ଅର୍ଥ ଫେରସ୍ତ କରିଥିଲା। ଏହା ପରେ ପୁଣି ଅବଶିଷ୍ଟ ଜମାକରୀଙ୍କ ଟଙ୍କା ଫେରସ୍ତ ପାଇଁ ସଂସ୍ଥା ମୁଖ୍ୟଙ୍କୁ ଫେବ୍ରୁଆରି ୨୮ରେ ହାଜର ହେବାକୁ କମିସନ୍‌ ନିର୍ଦ୍ଦେଶ ଦେଇଥିଲେ। ସଂସ୍ଥା ମୁଖ୍ୟ ଆସି ନଥିଲେ। ଏହାପରେ ମାର୍ଚ୍ଚ ୧୪ରେ ତାଙ୍କୁ ହାଜର ହେବା ପାଇଁ କମିସନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବାରମ୍ବାର ନୋଟିସ୍‌ ସତ୍ତ୍ୱେ କେହି ହାଜର ହୋଇ ନଥିଲେ।

ସମ୍ବନ୍ଧିତ ଖବର