ଜାତୀୟ ହକି ଆରମ୍ଭ: ଓଡ଼ିଶା ଓ ଗାଙ୍ଗ୍‌ପୁର ଦଳ ହାରିଲେ

ଭୁବନେଶ୍ୱର: ହକି ଇଣ୍ଡିଆ ଆନୁକୂଲ୍ୟରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଗୁରୁବାରଠୁ ଆରମ୍ଭ ହୋଇଛି ଅଷ୍ଟମ ଡିଭିଜନ୍‌-ଏ ଜାତୀୟ ପୁରୁଷ ପ୍ରତିଯୋଗିତା। ପ୍ରଥମ ଦିବସରେ ଦୁଇ ଓଡ଼ିଶା ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୁଲ୍‌-ଏରେ ହକି ଓଡ଼ିଶା ଦଳ ୧-୯ ଗୋଲ୍‌ରେ ରେଳବାଇ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ (ଆର୍‌ଏସ୍‌ପିବି) ନିକଟରୁ ଶୋଚନୀୟ ଭାବେ ହାରିଯାଇଥିଲା ବେଳେ ପୁଲ୍‌-ବିରେ ହକି ଗାଙ୍ଗ୍‌ପୁର-ଓଡ଼ିଶା ଦଳ ୦-୨ ଗୋଲ୍‌ରେ ଏୟାର ଇଣ୍ଡିଆ ସ୍ପୋର୍ଟସ୍‌ ପ୍ରମୋସନ୍‌ ବୋର୍ଡ ନିକଟରୁ ପରାସ୍ତ ହୋଇଛି। ଆର୍‌ଏସ୍‌ପିବି ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ଏକମାତ୍ର ଗୋଲ୍‌ ନିଲମ୍‌ ସଞ୍ଜୀବ ଖେସ୍‌ କରିଥିଲେ। ପ୍ରଥମ ଦିବସର ମ୍ୟାଚ୍‌ଗୁଡ଼ିକରେ ଚଣ୍ଡୀଗଡ଼ ୪-୧ରେ ନାମଧାରୀ ଏକାଦଶକୁ, ପଞ୍ଜାବ ଓ ସିନ୍ଦ୍‌ ବ୍ୟାଙ୍କ୍‌ ୨-୧ରେ ହରିଆନାକୁ, ପଞ୍ଜାବ ୫-୨ରେ କର୍ଣ୍ଣାଟକକୁ ପରାସ୍ତ କରିଦେଇଥିଲା ବେଳେ କମ୍ପ୍‌ଟ୍ରୋଲର ଆଣ୍ଡ୍‌ ଅଡିଟର୍‌ ଜେନେରାଲ ଅଫ୍‌ ଇଣ୍ଡିଆ ଏବଂ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟି ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର