ଆରଡି ଯାଜପୁର ଡିଭିଜନ୍‌ରେ କେ-୨ ଦୁର୍ନୀତି: ୨ ବର୍ଷରେ ୯୬୭ଟି ୮୦ଲକ୍ଷ ଟଙ୍କା ହେରଫେର

ବନ୍ୟା, ବାତ୍ୟା ଆଳରେ ଯନ୍ତ୍ରୀ ଓ ଠିକାଦାର ମାଲାମାଲ

ଯାଜପୁରସଦର : ଯାଜପୁର ଜିଲ୍ଲାର ଜାରକା ଡିଭିଜନ୍(୨)ରେ ପିଏମଜିଏସୱାଇ ଓ ଗୁପ୍ତ ଟେଣ୍ଡର କାରବାରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଯାଜପୁର ଡିଭିଜନ୍-୧ରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶହ ଶହ କେ-୨ କେଳେଙ୍କାରୀ ପଦାକୁ ଆସିଛି। ବାତ୍ୟା ବନ୍ୟା ଆଳରେ ଶହ ଶହ କେ-୨(୧୦ହଜାର ଟଙ୍କା ରୁ କମ୍) ହାତ ଚିଠା ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରାଯାଇଛି। ଗତ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୯୬୭ଟି କେ-୨ ଜରିଆରେ ୮୦ଲକ୍ଷରୁ ଅଧିକ ଅନୁଦାନ ହେରଫେର କରାଯାଇଛି। ଯାଜପୁର ଡିଭିଜନ୍-୧ ର ମହାଦୁର୍ନୀତି ତଥ୍ୟ ଏବେ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି।

ସୂଚନା ଅନୁସାରେ ଯାଜପୁର ଡିଭିଜନ-୧ ଅଧୀନସ୍ଥ ଡୁବୁରି, ଯାଜପୁରରୋଡ, ଯାଜପୁର, ବିଂଝାରପୁର ସବଡିଭିଜନରେ ବ୍ୟାପକ ଅନିୟମିତତା କରାଯାଇଛି। ଫନି, ଅମ୍ଫାନ୍ ବାତ୍ୟା ଓ ମହାବନ୍ୟା ସମ‌ୟରେ ରାସ୍ତା ସଫେଇ, ରାସ୍ତାରୁ ଗଛ କଟା, ବନ୍ୟା ସମୟରେ ରାସ୍ତା ମରାମତି ଆଦି କାର୍ଯ୍ୟ ଆଳରେ ୨ବର୍ଷରେ ୯୬୭ଟି କେ-୨ କରାଯାଇ ସରକାରୀ ଅନୁଦାନ ହଡ଼ପ କରାଯାଇଛି।

ତଥ୍ୟ ମୁତାବକ ଡୁବୁରି ସବଡିଭିଜନରେ ୩୬ଟି କେ-୨ କରାଯାଇଥିବା ବେଳେ ଯାଜପୁରରୋଡ ସବଡିଭିଜନରେ ୩୮୦ ଟି, ଯାଜପୁର ସବଡିଭିଜନ୍‌ରେ ୨୨୪ ଓ ବିଞ୍ଝାରପୁର ସବଡିଭିଜନ୍ ଅଧୀନରେ ୩୨୨ଟି କେ-୨ କରାଯାଇଛି। କେ-୨ରେ ୧୦ ହଜାର ଟଙ୍କାରୁ କମ୍ ଅର୍ଥାତ୍ ୮ ହଜାର ରୁ ୯ ହଜାର ଟଙ୍କା ମଧ୍ୟରେ ବିଲ୍ କରାଯାଇଛି । ଗୋଟିଏ ଗୋଟିଏ ରାସ୍ତାରେ ୨୦ରୁ ୨୫ଟି କେ-୨ ବିଲ୍‌ ଜଣେ ଜଣେ ଠିକାଦାର ନାମରେ କରାଯାଇଛି।

ଏହି କେଳେଙ୍କାରୀକୁ ନେଇ ସୂଚନା ଅଧିକାର କର୍ମୀ ସୁଦୀପ୍ତ ପଣ୍ଡା ସ୍ବର ଉଠାଇବା ସହ ସାଧାରଣ ଜନତାଙ୍କ ଅର୍ଥକୁ ଏପରି ହରିଲୁଟ କରାଯାଇଥିବାରୁ ମାନ୍ୟବର‌ ଲୋକାୟୁକ୍ତଙ୍କ ଦ୍ବ‌ାରସ୍ଥ ହେବେ ବୋଲି କହିଛନ୍ତି। ଏହି କେଳେଙ୍କାରୀକୁ ଜିଲ୍ଲା ପ୍ରଶାସନ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର