ମାର୍ଚ୍ଚ ୩୧ରୁ କାଳବୈଶାଖୀ

ଭୁବନେଶ୍ୱର : ସାରା ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ମାର୍ଚ୍ଚ ୩୧(ଶନିବାର)ଠାରୁ ପାଗରେ ପରିବର୍ତନ ଆସିବ। ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷାର ଆଶଙ୍କା ରହିଛି। ଖୋର୍ଧା, ନୟାଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ହେବ। ୩ ତାରିଖ ବେଳକୁ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏଥିସହ ଏପ୍ରିଲ ୬ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତ ଦୁଇ ଦିନ ପରି ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୮ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ ଓ ସୋନପୁର ତାପମାତ୍ରା ଆଜି ବି ୪୧ ଡିଗ୍ର୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ବଲାଙ୍ଗୀରରେ ୪୦.୫, ମାଲକାନଗିରିରେ ୪୦.୪ ଡିଗ୍ରି ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାରେ ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରି ତଳକୁ ଖସି ୩୪.୯ ଡିଗ୍ରିରେ ପହଞ୍ଚିଛି। କଟକ, ବାଲେଶ୍ୱର, ଭଦ୍ରକରେ ବି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର