୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଆଜି ଉତ୍ତର ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଯାଇଛି। ବାଲେଶ୍ୱରରେ ୪୩ମିମି ବର୍ଷା ହୋଇଥିବାବେଳେ ବାରିପଦାରେ ୧୮ମିମି ବର୍ଷା ହୋଇଛି। ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୬୦କିମି ବେଗରେ ପବନ ବି ବହିିଛି। ଆଜି କେବଳ ଉତ୍ତର ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲେ ହେଁ ରବିବାର ଠାରୁ ଚାରି ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ପ୍ରଭୃତି ସ୍ଥାନରେ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ। କେତେକ ସ୍ଥାନରେ କୁଆପଥର ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ଥିବାବେଳେ ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାରେ ଆକାଶ ଆଂଶିକ ମେଘାଛନ୍ନ ରହିବ।  ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ସୋନପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧.୪ଡିଗ୍ରି ରେକର୍ଡ ହୋଇଛି। ଅନୁଗୁଳରେ ୪୦.୧ଡିଗ୍ରି, ଝାରସୁଗୁଡ଼ାରେ ୪୧, ସମ୍ବଲପୁରରେ ୪୦, ହୀରାକୁଦରେ ୪୦.୯, ବଲାଙ୍ଗୀରରେ ୪୧, ଟିଟିଲାଗଡ଼ରେ ୪୦ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର