କଳାହାଣ୍ଡି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ ନିର୍ମାଣ ପ୍ରସଙ୍ଗ : ବେଦାନ୍ତ ସହିତ ଏମ୍‌ଓୟୁ ବାତିଲ୍ କଲେ ସରକାର

ଭୁବନେଶ୍ବର : ରାଜ୍ୟ ସରକାର କଳାହାଣ୍ଡି ଭବାନୀପାଟଣାରେ ପ୍ରସ୍ତାବିତ ୧୦୦ସିଟ୍ ବିଶିଷ୍ଟ ମେଡ଼ିକାଲ କଲେଜ ନିର୍ମାଣ ପ୍ରକ୍ରିୟାରେ ବିଳମ୍ବ ପାଇଁ ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ଏହି ମେଡି଼କାଲ କଲେଜ ପାଇଁ ପ୍ରସ୍ତାବିତ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ଲାଗି ମେସର୍ସ ବେଦାନ୍ତ ଲିମିଟେଡ୍ ସହିତ ହୋଇଥିବା ବୁଝାମଣାପତ୍ରକୁ ଆଜି ବାତିଲ୍ କରିଦିଆଯାଇଛି। ୨୦୧୮ ମସିହା ମାର୍ଚ୍ଚ ୨୭ ତାରିଖରେ ସ୍ବାସ୍ଥ୍ୟ ବିଭାଗ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ମେଡ଼ିକାଲ କଲେଜ ହସ୍ପିଟାଲ ନିର୍ମାଣ ପାଇଁ ସଂପୃକ୍ତ କର୍ତ୍ତୃପକ୍ଷ ଅହେତୁକ ବିଳମ୍ବ କରୁଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ଦର୍ଶାଇଛି।

ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ପ୍ରଥମେ ୫୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ହସ୍ପିଟାଲ ପାଇଁ ବେଦାନ୍ତ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ, ପରେ ଏହାକୁ ୬୫୦କୁ ବୃଦ୍ଧି କରିବାକୁ ଯୋଜନା ହୋଇଥିଲା। ୨୦୨୩ରେ ସରକାର ଏମ୍‌ବିବିଏସ୍ ନାମଲେଖା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ବେଦାନ୍ତ କର୍ତ୍ତୃପକ୍ଷ ନିର୍ମାଣରେ କେବଳ ବିଳମ୍ବ କରୁଥିଲେ ତା ନୁହେଁ, ଏହି ବର୍ଧିତ ଶଯ୍ୟା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ। ଯେହେତୁ ରାଜ୍ୟ ସରକାର ମେଡ଼ିକାଲ କଲେଜ କ୍ଷେତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ସେଥିପାଇଁ ଏଭଳି ଏକ ଅପ୍ରୀତିକର ନିଷ୍ପତ୍ତି ନିଆଯାଇଛି।

ସମାନ୍ତରାଳ ଭାବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ସ୍ବାସ୍ଥ୍ୟ ବିଭାଗ ପୂର୍ତ୍ତ ସଚିବଙ୍କୁ ଏକ ଚିଠି ଲେଖିଛି। ସେଥିରେ ଦର୍ଶାଯାଇଛି ଯେ ଭବାନୀପାଟଣାରେ ପ୍ରସ୍ତାବିତ କଳାହାଣ୍ଡି ମେଡ଼ିକାଲ କଲେଜ ଓ ହସ୍ପିଟାଲ କାମ ସେମାନେ ହାତକୁ ନିଅନ୍ତୁ। ଏମ୍‌ଓୟୁ ବାତିଲ୍ ହୋଇଥିବା ପରିପ୍ରେକ୍ଷୀରେ ପୂର୍ତ୍ତ ବିଭାଗ ଏହି କାର୍ଯ୍ୟ କରିବ। ନ୍ୟାସନାଲ ମେଡ଼ିକାଲ କମିସନ ଗାଇଡ୍‌ଲାଇନ୍ ଅନୁସାରେ ଏହାର ନିର୍ମାଣ ହେବ। ବଳକା ଯେତିକି ଅର୍ଥ ଖର୍ଚ୍ଚ ହେବ, ତାହା ସ୍ବାସ୍ଥ୍ୟ ବିଭାଗ ଭରଣା କରିବ ବୋଲି ମଧ୍ୟ ସ୍ପଷ୍ଟ କରିଦିଆଯାଇଛି।

୨୦୧୮ ମସିହାରେ ଏମ୍‌ଓୟୁ ସ୍ବାକ୍ଷର ବେଳେ କୁହାଯାଇଥିଲା ଯେ ଏହି ମେଡ଼ିକାଲ କଲେଜ ହସ୍ପିଟାଲ ପାଇଁ ପାଖାପାଖି ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେବେ ସରକାର ୨୦୨ କୋଟି ୩୯ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ବେଦାନ୍ତ ସାମାଜିକ ଉତ୍ତରଦାୟିତ୍ବ ଭାବେ ଏହି ପ୍ରକଳ୍ପକୁ ବିଚାରକୁ ନେଇ ୧୦୦ କୋଟି ଟଙ୍କା ଖର୍ଚ୍ଚ ଲାଗି ସମ୍ମତି ଦେଇଥିଲା।

ସମ୍ବନ୍ଧିତ ଖବର