କଳାହାଣ୍ଡି ଜିଲ୍ଲାରେ ସାଢ଼େ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ୱ କ୍ଵିଣ୍ଟାଲ ଧାନ ପଡ଼ି ରହିଛି, ଚିନ୍ତାରେ ଚାଷୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଚାଷୀମାନଙ୍କ ପାଖରେ ସାଢ଼େ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ୱ କ୍ଵିଣ୍ଟାଲର ଧାନ ମଣ୍ଡିରେ ପଡ଼ିରହିଛି ଅଥଚ ଧାନ ଉଠାଣରେ ବିଳମ୍ବ ନେଇ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ଚଳିତ ରବି ଧାନ ବିକ୍ରି ପାଇଁ ୩୧ଲକ୍ଷ ୩୧ ହଜାର ୩୩୫ କ୍ଵିଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦୁଇ ପର୍ଯ୍ୟାୟରେ ୨୭ ଲକ୍ଷ ୧୩ ହଜାର ୭୦୭ କ୍ଵିଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଆସିଛି । ଗତ ଜୁନ ୨୪ ତାରିଖ ସୁଦ୍ଧା ୨୫ ଲକ୍ଷ ୮୮ ହଜାର ୧୨୬ କ୍ଵିଣ୍ଟାଲ ଧାନ କ୍ରୟ କରାଯାଇଛି। ସେଥି ମଧ୍ୟରୁ ମିଲର୍ସ ମାନେ ୨୫ ଲକ୍ଷ ୮୦ ହଜାର ୬୮୦ କ୍ଵିଣ୍ଟାଲ ଧାନ ଉଠାଣ କରି ମିଲ୍‌କୁ ନେଇ ସାରିଛନ୍ତି । ବର୍ତ୍ତମାନ ଚାଷୀଙ୍କ ପାଖରେ ୫ ଲକ୍ଷ ୫୦ ହଜାର ୬୫୫ କ୍ଵିଣ୍ଟାଲରୁ ଅଧିକ ଧାନ ପଡ଼ି ରହିଛି । ମୌସୁମୀ ବର୍ଷା ଯୋଗୁଁ ଆଦ୍ରତାର ଆଳ ଦେଖାଇ ମିଲର୍ସମାନେ ଅଧିକ କଟନି ଛଟନୀ କରି ଜାଣିଶୁଣି ଚାଷୀଙ୍କ ଧାନ ଉଠାଣରେ ବିଳମ୍ବ କରିଛନ୍ତି।

ବର୍ତ୍ତମାନ ଜୁନ ୨୭ ତାରିଖ ହେଲାଣି ତଥାପି ରାଜ୍ୟସରକାର ଦେଇଥିବା ଟାର୍ଗେଟ ଶେଷ ହୋଇନଥିବା ବେଳେ ବଳକା ଟାର୍ଗେଟ ଆସିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଆଗକୁ ବର୍ଷା ଆସିବା ପରେ ଜାଣିଶୁଣି ମଣ୍ଡିକୁ ବନ୍ଦ କରିବା ନେଇ ଏକ ସୁପରିକଳ୍ପିତ ଷଡଯନ୍ତ୍ର ଚାଲିଛି । ମିଲର୍ସ ମାନେ ଚାଷୀଙ୍କୁ ବିଭିନ୍ନ ପ୍ରକାରରେ ମଣ୍ଡିରେ ହଇରାଣ କରିବା ଫଳରେ ମଣ୍ଡିରୁ ମୁହଁ ଫେରାଇ ନେଇ ଦଲାଲ ହାତକୁ ଅଣ୍ଡର ରେଟ୍‌ରେ ଧାନ ଟେକିଦେବାକୁ ପରୋକ୍ଷରେ ବାଧ୍ୟ କରାଯାଉଛି । ଏହାର ସୁଯୋଗ ନେଇ ମିଲର୍ସ ମାନେ ଫଲ୍ସ ଏଣ୍ଟ୍ରି ପାଇଁ ମସୁଧା ଚଳାଇଛନ୍ତି । ବିଳମ୍ବରେ ମଣ୍ଡି ଆରମ୍ଭ ହେବା ଓ ଟାର୍ଗେଟ ଶେଷ ହୋଇନଥିବା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ପଞ୍ଜିକରଣ କରାଇଥିବା ଚାଷୀଙ୍କ ଧାନ ପରିମାଣ ନେଇ ଏବେ ମଧ୍ୟ ୪ ଲକ୍ଷ ୧୭ ହଜାର ୬୨୮ କ୍ଵିଣ୍ଟାଲ ଧାନ ଟାର୍ଗେଟ ସରକାର ଦେବାକୁ ବାକି ରହିଛି । ସମୁଦାୟ ୩୧ ଲକ୍ଷ ୩୧ ହଜାର ୩୩୫ କ୍ଵିଣ୍ଟାଲ ଧାନ ପାଇଁ ଚାଷୀ ପଞ୍ଜିକରଣ କରିଥିବାବେଳେ ୨୭ ଲକ୍ଷ ୧୩ ହଜାର ୭୦୭ କ୍ଵିଣ୍ଟାଲ ଟାର୍ଗେଟ ଆସିଛି । ବକେୟା ଟାର୍ଗେଟ୍ ନେଇ ଆଶା ଆଶଙ୍କା ଜାରି ରହିଛି । ଚାଷୀ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ପଡିରହିଥିବା ବେଳେ ଧାନ ଉଠାଣ ପାଇଁ ବିଳମ୍ବ ହେବା ନେଇ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ତୁରନ୍ତ ରାଜ୍ୟସରକାର ହସ୍ତକ୍ଷେପ କରି ତୁରନ୍ତ ଧାନ ଉଠାଣ ନିମନ୍ତେ ପଦକ୍ଷେପ ନ ନେଲେ ଏକ ବଡ଼ ଧରଣର ଚାଷୀ ଆନ୍ଦୋଳନ ଦାନା ବାନ୍ଧୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହେଇଛି ।

ସମ୍ବନ୍ଧିତ ଖବର