ରାଉରକେଲାରେ ‘କାଳିଆ’ ମହାସମାବେଶ : ୬୪୬ କୋଟି ଟଙ୍କାର ପ୍ରକଳ୍ପ ଭେଟି

ରାଉରକେଲା : ରାଉରକଲାରେ ଆଜି କାଳିଆ ମହାସମାବେଶ ଅୟୋଜିତ ହୋଇଯାଇଛି। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ମତ ରଖିବା ସହିତ ଏଥିରେ ସମସ୍ତ ଛୋଟ ଚାଷୀ, ଭାଗ ଚାଷୀ, ଜମିହୀନ ଚାଷୀ, କୃଷି ଶ୍ରମିକ, ପ୍ରତ୍ୟେକ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଥିବା କହିଛନ୍ତି। ଏଥିସହିତ, ମୁଖ୍ୟମନ୍ତ୍ରୀ ୬୪୬.୩୯ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି।

ରାଉରକେଲା ଏୟାରଷ୍ଟ୍ରିପ୍‌ ପଡ଼ିଆରେ ଏହି ମହାସମାବେଶର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, କାଳିଆ ଯୋଜନା ଦେଶକୁ ବାଟ ଦେଖାଇଛି। ଚାଷୀମାନଙ୍କୁ କେବଳ ଆର୍ଥିକ ସହାୟତା ପ୍ରଦାନ କରାଯାଉନି; ବରଂ ବିନା ସୁଧରେ ଋଣ ଦିଆଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ‘କାଳିଆ ଛାତ୍ର ବୃତ୍ତି ଯୋଜନା’ ଆରମ୍ଭ କରାଯାଇଛି। ଏହାଦ୍ବାରା ଚାଷୀ ପରିବାରର ବହୁ ମେଧାବୀ ଛାତ୍ରଛାତ୍ରୀ ନିଜ ନିଜ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିପାରିବେ। ଚାଷୀ, ମହିଳା, ଓ ଯୁବକ ନୂଆ ଓଡ଼ିଶାର ପରିଚୟ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ଏସ୍‌ଟିଆଇ ରେଳ ଓଭରବ୍ରିଜ୍‌ ସମେତ ଜିଲ୍ଲାର ୩୩୬.୬୧ କୋଟି ମୂଲ୍ୟର ୨୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ସେ ଜିଲ୍ଲାରେ ୩୦୯.୭୮ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ୧୯ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ସମାବେଶରେ ନୂଆଗାଁ ବ୍ଲକ୍‌ ସାତଜୁଆରୀର ସୁନୀତା ସାହୁ, ଟାଙ୍ଗରପଲ୍ଲୀ ବ୍ଲକ୍‌ ରୂପବାହାଲର ଗୋବିନ୍ଦ ରୋହିଦାସ, ରାଜଗାଙ୍ଗପୁର ବ୍ଲକ୍‌ ଡୁଡ଼ୁକାବାହାଲର ସରୋଜିନୀ କୁଜୁର, ତଲସରାର ଜୟନ୍ତୀ ଏକ୍କା ପ୍ରମୁଖ ଚାଷୀ ବକ୍ତବ୍ୟ ରଖିଥିଲେ। ବଲିଉଡ଼ ଗାୟକ ଋତୁରାଜ ମହାନ୍ତିଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର