କଳିଙ୍ଗନଗର ଗୁଳିକାଣ୍ଡ ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦେଶ

କଟକ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବହୁଚର୍ଚ୍ଚିତ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ପି.କେ.ମହାନ୍ତି କମିସନଙ୍କ ରିପୋର୍ଟ ବନ୍ଦ୍‌ ଲଫାପାରେ ହାଇକୋର୍ଟରେ ଦାଖଲ ହେବ। ଜଷ୍ଟିସ ଏସ୍‌.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଏ.କେ. ନାଥଶର୍ମାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୦୬, ଜାନୁଆରି ୨ ତାରିଖରେ ସଂଘଟିତ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାରେ ୧୩ ଜଣ ଲୋକ ପ୍ରାଣ ହରାଇଥିଲେ। ଉକ୍ତ ରାତିରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ୬ ଜଣଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଜଣଙ୍କ ପରିଚୟ ମଳିଥିବା ବେଳେ ଅନ୍ୟ ୫ ଜଣ ଅଚିହ୍ନା ଥିଲେ। ଅଚିହ୍ନା ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ସମୟରେ ସେମାନଙ୍କ ଦୁଇ ହାତର ପାପୁଲି କାଟି ରଖା ଯାଇଥିଲା। ରାତିରେ ଶବ ବ୍ୟବଚ୍ଛେଦ ଓ ପାପୁଲି କଟା ଘଟଣାକୁ ନେଇ ଆବେଦନକାରୀ ଓ ଅନ୍ୟ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଥିଲା। ବିଭାଗୀୟ ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ତଥା ଏସ୍‌ସିବି ମେଡିକାଲ କଲେଜର ଏଫ୍‌ଏମ୍‌ଟି ବିଭାଗ ଆସୋସିଏଟ୍‌ ପ୍ରଫେସର ପ୍ରଦାନ କରିଥିବା ରିପୋର୍ଟରେ ସେଦିନ ଶବ ବ୍ୟବଚ୍ଛେଦ ସମୟରେ କୌଣସି ନିୟମ ଉଲ୍ଲଂଘନ ହୋଇ ନଥିବା ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟ ମାନବାଧିକାର କମିସନ୍‌ ଏ ନେଇ କରିଥିବା ତଦନ୍ତ ରିପୋର୍ଟରେ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା କଥା ଉଲ୍ଲେଖ କରିଥିଲେ। ବିଭାଗୀୟ ତଦନ୍ତ ରିପୋର୍ଟକୁ ଅଣଦେଖା କରି ସ୍ୱାସ୍ଥ୍ୟ ବିଭାଗ ମାନବାଧିକାର କମିସନ୍‌ଙ୍କ ରିପୋର୍ଟ ଆଧାରରେ ଆବେଦନକାରୀ ଓ ଅନ୍ୟ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏପରି ପରିସ୍ଥିତିରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର