ଏ ଯାଏଁ ସରିନି କାନ୍‌ଝାରୀ ପ୍ରକଳ୍ପ, ୬୦ କୋଟିକୁ ବଢ଼ିଲାଣି

କେନ୍ଦୁଝର: ବର୍ଷା ଦିନେ କୌଣସି ପ୍ରକାରେ କେନ୍ଦୁଝର ସହରର ଜଳ ଆବଶ୍ୟକତା ମେଣ୍ଟି ଯାଉଥିବା ବେଳେ ଖରା ଦିନେ ଜଳ ସଙ୍କଟ ଉତ୍କଟ ହୋଇପଡେ। ଦିନକୁ ଦିନ ଭୂତଳ ଜଳସ୍ତର କମିଯିବା ଫଳରେ କୂଅ, ପୋଖରୀ ଶୁଖିଯାଉଛି। ଏଭଳି ପରିସ୍ଥିତିରେ ପୁରୁଣା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା କେନ୍ଦୁଝର ସହରକୁ  ପିଇବା ପାଣି ଯୋଗାଇବା ସମ୍ଭବ ହୋଇ ପାରୁନାହିଁ। ଦୀର୍ଘ ୪ ବର୍ଷ ଧରି କେନ୍ଦୁଝର ସହର ପାଇଁ ନୂତନ ଭାବେ କାନ୍‌ଝାରୀ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ ସରୁନାହିଁ। ଫଳସ୍ୱରୂପ କାନ୍‌ଝାରୀ ପ୍ରକଳ୍ପର ବ୍ୟୟ ଅଟକଳ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସହରବାସୀଙ୍କ ଶୋଷ କିନ୍ତୁ ମେଣ୍ଟୁ ନାହିଁ।

କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ୨୦୦୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ପଠାଯିବା ପରେ ୨୦୧୦ ମସିହାରେ କେନ୍ଦ୍ର ସରକାରଙ୍କ ୟୁଆଇଡିଏସ୍‌ଏସ୍‌ଏମ୍‌ଟି ଯୋଜନାରେ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩୨.୦୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ୨୦୧୩ ମସିହା ବେଳକୁ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୪୦ କୋଟି ଟଙ୍କାରେ ପହଞ୍ଚିଥିଲା। ଏବେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୬୦ କୋଟିକୁ ଛୁଇଁଛି।

ସୂଚନା ଅନୁସାରେ, ୨୦୧୪ ମସିହାରେ ମେଘା ଇଞ୍ଜିନିୟରିଂ ସଂସ୍ଥା ଏହି ପ୍ରକଳ୍ପ କାର୍ଯ୍ୟର ଟେଣ୍ଡର ହାତକୁ ନେଇଥିଲା। ସର୍ତ ମୁତାବକ ୨୦୧୪ ମସିହା ଜାନୁଆରି ୨୭ ତାରିଖରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୨୦୧୬ ମସିହା ଜାନୁଆରି ୨୬ ତାରିଖରେ ଶେଷ ହେବା କଥା। କିନ୍ତୁ ଏହାମଧ୍ୟରେ ନିର୍ଦ୍ଧାରିତ ସମୟଠାରୁ ପାଖାପାଖି ଅଢ଼େଇ ବର୍ଷ ଅଧିକ ସମୟ ଅତିକ୍ରାନ୍ତ ହୋଇଗଲାଣି।  କିନ୍ତୁ ଏ ପର୍ଯ୍ୟନ୍ତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇ ପାରିନାହିଁ।

ପ୍ରସ୍ତାବିତ ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ସହରକୁ ମୋଟ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ପ୍ରକଳ୍ପ ଦ୍ୱାରା ଡିଡି କଲେଜ, ଜାହ୍ନବୀ ହଷ୍ଟେଲ, ମୁଣ୍ଡା ସାହି, ପବିତ୍ରଡିହା, ସିଦ୍ଧମଠ, ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ, ଜେଲ୍‌ରୋଡ, ମଣ୍ଡୁଆ, ଲାବଣ୍ୟ ଛକ, ଡିଆଇସି କାର୍ଯ୍ୟାଳୟ ଆଦି ୧୦ଟି ଜୋନ୍‌ରେ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ମାତ୍ର ଦୀର୍ଘ ୪ ବର୍ଷ ପରେ ମାତ୍ର ୩ଟି ଜୋନ୍‌ ଅଞ୍ଚଳରେ ପିଇବା ପାଣି ଯୋଗାଇ ଦିଆଯାଉଛି। ଲାବଣ୍ୟ ଛକ, ମଣ୍ଡୁଆ ଏବଂ ଡିଆଇସି କାର୍ଯ୍ୟାଳୟ ଜୋନ୍‌ରେ ପାଣି ଯୋଗାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୭ଟି ଜୋନ୍‌ ଅଞ୍ଚଳରେ ଲୋକମାନେ ପାଣି ପାଇଁ ଛଟପଟ ହେଉଛନ୍ତି।

ଗୋଟିଏ ପଟେ ନୂଆ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରୁନଥିବା ବେଳେ ପୁରୁଣା ପାନୀୟ ଜଳ ପ୍ରକଳ୍ପ ସହରକୁ ଜଳ ଯୋଗାଇ ପାରୁନାହିଁ। ହିସାବ ଅନୁସାରେ, କେନ୍ଦୁଝର ସହରକୁ ଦୈନିକ ୧୦୦ ନିୟୁତ ଲିଟର ଜଳର ଆବଶ୍ୟକତା ଥିବା ବେଳେ ପୁରୁଣା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ମାତ୍ର ୧୦ ନିୟୁତ ଲିଟର ଜଳ ଯୋଗାଣ ସମ୍ଭବ ହେଉଛି। ଅନ୍ୟପକ୍ଷରେ ନଳକୂପ ତଥା ଅନ୍ୟାନ୍ୟ ଜଳ ଉତ୍ସରୁ ମାତ୍ର ୪୦-୫୦ ହଜାର ନିୟୁତ ଲିଟର ଜଳ ଚାହିଦା ପୂରଣ ହେଉଛି। ଫଳରେ ଖରା ଦିନେ ସହରର ଅଧିକାଂଶ ଅଞ୍ଚଳରେ ଜଳକଷ୍ଟ  ଲାଗି ରହିଛି।

କେନ୍ଦୁଝର ସହରର ବଣିଆପାଟ, କଲେଜ ରୋଡ, ବଡ଼ହଳ, ବୁଲାଦ୍ୱାର ସାହି, ପୁରୁଣା ବଜାରର ଅନେକ ସାହିରେ ଖରା ଦିନେ ପାଣି ମୁନ୍ଦେ ପାଇବା କଷ୍ଟକର। ଏଭଳିସ୍ଥଳେ କାନଝାରୀ ପାନୀୟ ଜଳ ପ୍ରକଳ୍ପ ସମ୍ପୂୂର୍ଣ୍ଣ କାର୍ଯ୍ୟକ୍ଷମ କେବେ ହେବ ତାହା ସନ୍ଦେହ ସୃଷ୍ଟି କରିଛି। ଗୋଟିଏ ପଟେ ଏହି ପ୍ରକଳ୍ପର ବ୍ୟୟ ଅଟକଳ ବଢ଼ି ଚାଲିଥିବା ବେଳେ ସହରରେ ଜଳ ସମସ୍ୟା ମଧ୍ୟ ବଢ଼ି ଚାଲିଛି। ଏ ସଂପର୍କରେ ଜନସ୍ୱାସ୍ଥ୍ୟ ବିଭାଗର ଏସ୍‌ଡ଼ିଓ ଭାଗବତ ଜେନାଙ୍କ କହିବାନୁସାରେ, ସହରର ୧୦ଟି ଜୋନ୍‌ରୁ ଏବେ ୩ଟି ଜୋନ୍‌ରେ ପାନୀୟ ଜଳ ଯୋଗାଣ ହେଉଛି। ଆସନ୍ତା ଜୁନ୍‌ ମାସ ଶେଷ ସୁଦ୍ଧା ଅବଶିଷ୍ଟ ସହରକୁ ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର