କର୍ଲାପାଟ ଓ ସୁନାବେଡ଼ା ଅଭୟାରଣ୍ୟ ସୀମା ବଢ଼ିବ

ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ବୈଠକରେ ୭ ପ୍ରସ୍ତାବ ଅନୁମୋଦିତ
କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟକୁ ପଠାଯିବ

ଭୁବନେଶ୍ବର : କର୍ଲାପାଟ ଅଭୟାରଣ୍ୟ ପରିସୀମା ପୁନଃ ନିର୍ଦ୍ଧାରିତ ହେବ। ସୁନାବେଡା ଅଭୟାରଣ୍ୟ ପରିସୀମା ବି। କେବଳ ସେତିକି ନୁହେଁ, ଭିତରକନିକା ଜାତୀୟ ଉଦ୍ୟାନର ପରିବେଶ ସମ୍ବେଦନଶୀଳ ଅଞ୍ଚଳ ବୋଲି କୁହାଯାଉଥିବା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ତହସିଲର ନିମତାଲାଠାରେ ଜେଟି ଏବଂ ବର୍ଷା ଆଶ୍ରୟ ଗୃହର ଉନ୍ନତୀକରଣ ଲାଗି ୨ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କସ୍ତୁରୀକଣଠାରେ ଜେଟି ଏବଂ ବର୍ଷା ଆଶ୍ରୟ ଗୃହର ଉନ୍ନତିକରଣ ପାଇଁ ମଧ୍ୟ ୧ କୋଟି ୯୦ ଲକ୍ଷ ଟଙ୍କା ବିନିଯୋଗ ହେବ।

ଆଜି ଲୋକସେବା ଭବନଠାରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକରେ ଏଭଳି ମୋଟ ୭ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାରିତ ଏହି ପ୍ରସ୍ତାବ ସବୁକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମୋଦନ ଲାଗି ସୁପାରିସ କରାଯିବ।

ଏହି ପ୍ରସ୍ତାବ ମଧ୍ୟରେ ବାରିପଦା-ବାମନଘାଟି (ରାଜ୍ୟ ରାଜପଥ-୫୦)ର ବିଷୋଇଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ରାସ୍ତାର ସୁଦୃଢ଼ୀକରଣ ତଥା ଦୁଇଟିକିଆ ରାସ୍ତାକୁ ଚଉଡ଼ା କରାଯିବା କାର୍ଯ୍ୟକ୍ରମ ରହିଛି। ଏହାଫଳରେ କୋଲକାତାଠାରୁ ରାଇରଙ୍ଗପୁର ଓ ରାଇରଙ୍ଗପୁରରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଚଳାଚଳ ଓ ମାଲ ପରିବହନ ସୁଗମ ହେବ। ସେହିଭଳି କର୍ଲାପାଟ ଅଭୟାରଣ୍ୟ ପରିସୀମା ପୁନଃନିର୍ଦ୍ଧାରିତ ହେବ। ସମ୍ପ୍ରତି ୧୮୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟର ପରିସୀମା ପ୍ରାୟ ୧୯୪ ବର୍ଗ କିଲୋମିଟର ହେବ।

ସେହିଭଳି ସୁନାବେଡା ଅଭୟାରଣ୍ୟ ପରିସୀମା ପୁନଃନିର୍ଦ୍ଧାରିତ ହେବ। ଅଭୟାରଣ୍ୟରୁ ଜନାକୀର୍ଣ୍ଣ ପ୍ରାୟ ୧୦ ହଜାର ୯୬୫ ହେକ୍ଟର ଜମିକୁ ବାଦ୍‌ ଦିଆଯିବ ଓ ଜନବସତିଶୂନ୍ୟ ୧୩ ହଜାର ୩୧୩ ହେକ୍ଟର ଜଙ୍ଗଲ ଜମି ଅଭୟାରଣ୍ୟ ପରିସୀମାଭୁକ୍ତ ହେବ।

ଇଷ୍ଟକୋଷ୍ଟ ରେଳବାଇ ଦ୍ୱାରା ବୁଢ଼ାପଙ୍କ-ସାଲେଗାଓଁ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ନିର୍ମାଣ ପାଇଁ ୨୪ହେକ୍ଟର ଜଙ୍ଗଲ ଜମି ଆବଶ୍ୟକ। ସେହି ଜମିରୁ ୦.୭୮୮ ହେକ୍ଟର ଜମି କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସୀମା ମଧ୍ୟରେ ରହିଛି। ସେଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ବୈଠକରେ ଆଜି ସୁପାରିସ କରାଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ନୁମୋଦନ ପରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ଏହାକୁ ମଞ୍ଜୁର କଲେ ବୁଢ଼ାପଙ୍କ-ସାଲେଗାଓଁମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ରେଙ୍ଗାଳି ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ବାମ ଓ ଦକ୍ଷିଣ ପାଖ ଶାଖା କେନାଲର ନିର୍ମାଣ ପାଇଁ ଢେଙ୍କାନାଳ, ଆଠଗଡ଼ ଓ କଟକ ବନଖଣ୍ଡର ୪୨୩ ହେକଫର ଜଙ୍ଗଲ ଜମି ଆବଶ୍ୟକ। ସେହି ଜମିରୁ ୭.୫ ହେକ୍ଟର ଜମି କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସୀମା ମଧ୍ୟରେ ରହିଛି। ସେଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ବୈଠକରେ ଆଜି ସୁପାରିଶ କରାଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡ ଏହାକୁ ମଞ୍ଜୁର କଲେ ରେଙ୍ଗାଳି ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ବାମ ଓ ଦକ୍ଷିଣ ପାର୍ଶ୍ବ ଶାଖା କେନାଲର ନିର୍ମାଣ ସମ୍ଭବ ହୋଇପାରିବ।

ଆଜିର ବୈଠକରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ରଥ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶଶି ପଲ୍‌, ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ, ହସ୍ତୀ ସୁରକ୍ଷା ଫାଉଣ୍ଡେସନ ଟ୍ରଷ୍ଟର ଡଃ ରଜନୀକାନ୍ତ ଜେନା, ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ ପି.ଆର୍‌.ମହାନ୍ତି, ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ଡଃ ବିଭାସ ପାଣ୍ଡବ, ଗଞ୍ଜାମ ଜିଲ୍ଲା ମୟୂର ସୁରକ୍ଷା କମିଟିର ସଭାପତି ସମୀର କୁମାର ପ୍ରଧାନ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡଃ ପ୍ରିୟମ୍ବଦା ମହାନ୍ତି ହେଜମାଦି, ମଧୁସୂଦନ କହଁର ପ୍ରମୁଖ ଯୋଗଦେଇ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ଆଗତ ୭ଟି ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର