ଚିକିତ୍ସାଧୀନ ରୋଗୀ, ସଂକ୍ରମଣ ହାର ଉପରେ ନଜର ରଖ

ଭୁବନେଶ୍ବର : ରାଜ୍ୟରେ ଏବେ କ୍ରମାଗତ ଭାବେ କରୋନା‌ ସଂକ୍ରମଣରେ ହ୍ରାସ ନଜରକୁ ଆସୁଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକଣାରେ କିଛିଟା କୋହଳ କରିଛନ୍ତି। ତେବେ କୋଭିଡ ନିୟମାବଳିକୁ ମାନିବା ସହିତ ଟେଷ୍ଟିଂ ଓ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। କୌଣସି ଅଞ୍ଚଳରେ ଯଦି ଚିକିତ୍ସାଧୀନ ରୋଗୀ କିମ୍ବା ସଂକ୍ରମଣ ହାରରେ ବୃଦ୍ଧି ନଜର ଆସେ ତାହାଲେ ସ୍ଥାନୀୟ ସ୍ତରରେ ସଂକ୍ରମଣ ଅବରୋଧ ନେଇ ପ‌ଦକ୍ଷେପ ନିଆଯିବା ଜରୁରୀ। ଏହାସହ ପ୍ରାଥମିକତା ଥିବା ସମସ୍ତ ବର୍ଗର ସହିତ ଦ୍ବିତୀୟ ଡୋଜ୍ ଟିକାକରଣ ଉପରେ ଗୁରୁତ୍ବ ଦେବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଯଥେଷ୍ଟ ସଂଖ୍ୟକ ଆରଟି-ପିସିଆର ଓ ରାପିଡ୍‌ ଆଣ୍ଟିଜେନ୍ ପରୀକ୍ଷା ଜାରି ରଖିବା ଦରକାର। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ନେଇ ଯେଉଁ ନିର୍ଦେଶନାମା ଜାରି କରାଯାଉଛି ତାହାକୁ ଗୁରୁତ୍ବର ସହ ପାଳନ କରିବା ଜରୁରୀ। ସହର ଉପକଣ୍ଠ, ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ଯଦି କୋଭିଡ ଚିକିତ୍ସା ବ୍ୟବସ୍ଥା ପାଇଁ ଯଦି କୌଣସି ନୂତନ କିମ୍ବା ପୂର୍ବରୁ ରହିଥିବା ବ୍ୟବସ୍ଥାରେ ସଂଶୋଧନର ଆବଶ୍ୟକତା ପଡ଼ୁଛି ତାହାଲେ ରାଜ୍ୟ ସରକାର ଜାରି କରିଥିବା ଏସ୍‌ଓପି ପାଳନ ହେବା ଉଚିତ୍। କୋଭିଡ ବ୍ୟବସ୍ଥାରେ ଅପଗ୍ରେଡ୍‌ କରାଯିବା ସମୟରେ ଆବଶ୍ୟକ ମାନବ ସମ୍ବଳ, କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଅନୁଯାୟୀ ଓରିଏଣ୍ଟନେସନ୍ ଉପରେ ଧ୍ୟାନ ଦେବା ଦରକାର। ଶିଶୁମାନଙ୍କ ପାଇଁ କୋଭିଡ ପରିଚାଳନା ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦେଶାବଳି ଅନୁଯାୟୀ ପଦକ୍ଷେପ ନେବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର