ଦୁଇ ଦିନିଆ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦ୍‌ଘାଟିତ: ବିଶ୍ବକୁ ଦେଖିବାର ଝରକା ହେଉଛି ସାହିତ୍ୟ

କେନ୍ଦ୍ରାପଡ଼ା : ‘ବିଶ୍ବକୁ ଦେଖିବାର ଏକ ଝରକା ହେଉଛି ସାହିତ୍ୟ। ସାହିତ୍ୟ ସବୁବେଳେ ସୃଜନୀର କଥା କୁହେ, ସତ୍ୟକୁ ଆବିଷ୍କାର କରେ ଆଉ ବିଶ୍ବକୁ ଏକତା ସୂତ୍ରରେ ବାନ୍ଧିରଖେ। କିନ୍ତୁ ସା˚ପ୍ରତିକ ସମୟରେ ସାହିତ୍ୟ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ପିଲା ମାନଙ୍କ ପାଇଁ ଆଉ ସାହିତ୍ୟ ରଚନା ହେଉନାହିଁ। ପିଲାଙ୍କୁ ଆକୃଷ୍ଟ କଲା ଭଳି ଯଦି ଆମେ ସାହିତ୍ୟ ରଚନା କରିପାରିବା ନାହିଁ, ତାହେଲେ ଆମେ ସାହିତ୍ୟ ପ୍ରତି ଅନ୍ୟାୟ କରୁଛେ। ଏହା ମା ପେଟରେ କନ୍ୟା ଭୃଣ ହତ୍ୟା କଲା ଭଳି ପାପ ସହିତ ସମାନ ବୋଲି ଦୁଇ ଦିନିଆ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କେନ୍ଦ୍ରାପଡ଼ା ଡେଭ୍‌ଲପ୍‌ମେଣ୍ଟ୍‌ ଫାଉଣ୍ତେସନ୍‌ ଓ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସର ମିଳିତ ଆନୁକୂଲ୍ୟରେ ତୃତୀୟ ଥର ପାଇଁ ଆୟୋଜିତ ଏହି ସାହିତ୍ୟ ଉତ୍ସବରେ ଉଦ୍‌ଘାଟକ ଭାବେ ପ୍ରଖ୍ୟାତ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଦାଶ ବେନହୁର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ଡକ୍ଟର ବିଜୟାନନ୍ଦ ସି˚ହ ଏବ˚ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ ଯୋଗ ଦେଇଥିଲେ। ଏହି ଅବସରରେ ଉଦ୍‌ଘାଟକ ଡକ୍ଟର ବେହେରା କହିଲେ ଯେ ସାହିତ୍ୟ ଝରକାରେ ଆମେ ସାରା ବିଶ୍ବକୁ ଦେଖିପାରୁଛେ। ନିଜ ସୃଜନଶୀଳତାକୁ ପ୍ରକାଶ କରିବାର ବଡ଼ ମାଧୢମ ସାହିତ୍ୟ ହୋଇଥିବାରୁ ଏହା ସବୁବେଳେ ସତ୍ୟକୁ ଉନ୍ମୋଚନ କରିବା ସହିତ ଆମ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ। ତେଣୁ ଆଗାମୀ ତରୁଣ ଯୁବପିଢ଼ିଙ୍କୁ ସାହିତ୍ୟ ମନସ୍କ କରିବା ପାଇଁ ଏଭଳି ସାହିତ୍ୟ ଉତ୍ସବ ଆୟୋଜନର ଆବଶ୍ୟକତା ରହିଛି ବୋଲି ଡକ୍ଟର ବେହେରା ଦୃଢେ଼ାକ୍ତି ବାଢ଼ିଥିଲେ।

ଫାଉଣ୍ତେସନ୍‌ର ସଭାପତି ଚୌଧୁରୀ ଅମିତାଭ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସର ସଭାପତି ଇ˚. ଅକ୍ଷୟ ପାଣି ସ୍ବାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ମୃତ୍ୟୁଞ୍ଚୟ ରଥ କାର୍ଯ୍ୟକ୍ରମ ସ˚ଯୋଜନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଗରୁଡ ଚରଣ ସାହୁଙ୍କ ରଚିତ ପୁସ୍ତକ ‘କାଳିଆ ଚରଣ ଉନ୍ମୋଚିତ ହୋଇଥିଲା।
ଅପରାହ୍ନରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ‘ଓଡିଆ ଗଳ୍ପ କାଲି ଓ ଆସନ୍ତାକାଲି’ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର