କଟକଣା ନ ମାନି ନେତାଙ୍କ ରଜ ମଉଜ : ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସମେତ ୪ ଜଣଙ୍କୁ ଉଠାଇନେଲା ପୁଲିସ୍‌

୨୦୦ କର୍ମୀଙ୍କ ପାଇଁ ରନ୍ଧା ଯାଇଥିଲା ଭାତ, ଖାସି ମାଂସ ତରକାରି
ଖାଇବା ପୂର୍ବରୁ ପୁଲିସ୍‌ର ଚଢ଼ାଉ

କେନ୍ଦୁଝର : କରୋନା କଟକଣା ନମାନି ରଜରେ ମଉଜ କରୁଥିଲେ। ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରି ଭାତ ଓ ଖାସିମାଂସ ତରକାରି ରୋଷେଇ କରିଥିଲେ। ହେଲେ ଖାଇବା ଆଗରୁ ଭୋଜିସ୍ଥଳରେ ପହଞ୍ଚିଗଲା ରାମଚନ୍ଦ୍ରପୁର ପୁଲିସ। ଭାତ, ମାଂସ ତରକାରି ସହ କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ ତାଙ୍କ ୩ ସହଯୋଗୀଙ୍କୁ ଉଠାଇନେଲା। ଅନ୍ୟ ୩ ଜଣ ହେଲେ ରାମଚନ୍ଦ୍ରପୁରର ଲକ୍ଷ୍ମୀଧର ସାହୁ (୪୫), କାଳନ୍ଦୀ ସାହୁ (୪୫) ଓ ବଡ଼ପଦନାର ହୃଷୀକେଶ ରାଉତ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁଲିସ ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଦନା ଛକରେ ଥିବା ରାମେଶ୍ବର ମନ୍ଦିର ପୋଖରୀ ନିକଟରେ ରଜ ପାଇଁ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଜି ପୂର୍ବାହ୍‌ଣରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରାୟ ୨୦୦ ବିଜେଡି କର୍ମୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଭୋଜିରେ ଭାତ ସାଙ୍ଗକୁ ଖାସିମାଂସ ତରକାରି ରୋଷେଇ ହୋଇଥିଲା। ଅପରାହ୍‌ଣ ପ୍ରାୟ ୨ଟା ବେ‌ଳେ ରୋଷେଇ ସରିବା ପରେ ସମସ୍ତେ ଖାଇବା ପାଇଁ ପ୍ରସ୍ତୁତ ହେଉଥିଲେ। ଖବରପାଇ ସେଠାରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ବାଇଁ, ଘସିପୁରା ଥାନା ଏସ୍‌ଆଇ ବିଶ୍ବଜିତ ବେହେରା, ରାମଚନ୍ଦ୍ରପୁର ଥାନା ଏସ୍‌ଆଇ ସୂର୍ଯ୍ୟସ୍ନାତ ପାତ୍ର ପୁଲିସ ଫୋର୍ସ ସହ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ବିଜେଡିର କିଛି ଆଗ ଧାଡ଼ିର କାର୍ଯ୍ୟକର୍ତ୍ତା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ଭାତ, ମାଂସ ତରକାରି ସହ ଭୋଜିରେ ବ୍ୟବହୃତ ବାସନ, ଗ୍ୟାସ ସିଲିଣ୍ଡର, ଚୁଲା ଓ ଏକ କ୍ୟାମ୍ପର ଗାଡ଼ି ଜବତ କରିଥିଲା। ସେଠାରେ ଉପସ୍ଥିତ ଥିବା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସାହୁଙ୍କ ସମେତ ୪ଜଣଙ୍କୁ ଉଠାଇ ଆଣିଥିଲା। ଅଭିଯୁକ୍ତଙ୍କ ବିରୋଧରେ କେସ୍‌ ନମ୍ବର ୭୯/୨୦ ଦଫା ୩ଇଡି ୨୬୯, ୨୭୦ରେ ମାମଲା ରୁଜୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଛି। ଜିଲ୍ଲାପାଳ ଏକାଠି ହୋଇ ରଜ ପାଳନ ନକରିବାକୁ ନିର୍ଦେଶ ଜାରି କରିଛନ୍ତି। ମହାମାରୀ ସମୟରେ ଜଣେ ଜନ ପ୍ରତିନିଧି ହୋଇ କଟକଣା ଭାଙ୍ଗିବା ଏବଂ ଭୋଜି ଆୟୋଜନ କରି ସେଥିରେ ନିଜେ ସାମିଲ ହେବା ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର