ସଙ୍ଗରୋଧରେ ପୁଲିସ କର୍ମଚାରୀ, ବିଶୋଧନ ହେଲା ବ୍ରହ୍ମଗିରି ଥାନା

ବ୍ରହ୍ମଗିରି : ଜଣେ ଚୋରି ଅଭିଯୁକ୍ତଠାରେ କରୋନା ପଜିଟିଭ୍‌ ଆସିବା ପରେ ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିବା ପୁଲିସ କର୍ମଚାରୀ ସଙ୍ଗରୋଧରେ ଯାଇଛନ୍ତି। ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବ୍ରହ୍ମଗିରି ଥାନାକୁ ବିଶୋଧନ କରାଯାଇଛି। ସାତପଡ଼ା‌ ଫାଣ୍ତି ଅନ୍ତର୍ଗତ ପିରିଜିପୁର ପଞ୍ଚାୟତର ଜିଆର୍‌ଏସ ଅନୁସ୍ବୟା ଦଳାଇଙ୍କ ଘରୁ ଗତ ୫ ତାରିଖ ବିଳମ୍ବିତ ରାତିରେ ମୋବାଇଲ୍‌ ସହିତ ୩୦ ହଜାର ଟଙ୍କା ଚୋରି ହୋଇଥିବା ସେ ସାତପଡା ଫାଣ୍ତିରେ ୬ ଜୁନ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୧୧ ତାରିଖରେ ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଥିଲା। କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତର କୋଭିଡ ପରୀକ୍ଷା ପାଇଁ ସାମ୍ପୁଲ ଯାଇଥିଲା। ଗତକାଲି ଅଭିଯୁକ୍ତ ପଜିଟିଭ ଚିହ୍ନଟ ହେବା ପରେ ଅଭିଯୁକ୍ତ ସଂସ୍ପର୍ଶରେ ଆସିଥିବା ବ୍ରହ୍ମଗିରି ଥାନା ଅଧିକାରିଙ୍କ ସହିତ ଥାନାରୁ ୧୦ ଜଣ ଏବଂ ଫାଣ୍ତିରୁ ୫ଜଣ ପୁଲିସ କର୍ମଚାରୀ ସଙ୍ଗରୋଧରେ ଯାଇଛନ୍ତି। ଆଜି ବ୍ରହ୍ମଗିରି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବରେ ବ୍ରହ୍ମଗିରି ଥାନାକୁ ବିଶୋଧନ କରାଯାଇଛି। ଅନ୍ୟପଟେ ଏହି ଚୋରି ଘଟଣାରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ପାଇଁ ମୁଣ୍ତବିନ୍ଧାର କାରଣ ହୋଇଛି। ଏହା ସହିତ ଗିରଫ ଅଭିଯୁକ୍ତ କାହା ସହିତ ମିଶିଛି ପୁଣି ଅଭିଯୁକ୍ତ ଗିରଫ ପରେ ପୁଲିସ କର୍ମଚାରି କାହା ସହିତ ମିଶିଛନ୍ତି ସେ ନେଇ ପ୍ରଶାସନ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର