ମନ୍ତ୍ରୀଶୂନ୍ୟ ହୋଇଗଲା କେନ୍ଦୁଝର

କେନ୍ଦୁଝର : କେନ୍ଦୁଝର ଭଳି ଏକ ଖଣି ଖାଦାନ ଭରା ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିଲା ନାହିଁ। ଏହାକୁ ନେଇ ଜିଲ୍ଲା ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି। କାହିଁକି କାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା କଲେ ନାହିଁ, ତାକୁ ନେଇ ରାଜନୈତିକ ମହଲ ଚର୍ଚ୍ଚା ଚଳାଇଛନ୍ତି।

ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଇତିମଧ୍ୟରେ ପାଞ୍ଚ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଜେଡି ସରକାରରେ ଜିଲ୍ଲାରୁ ସର୍ବାଧିକ ଥର ସେ ମନ୍ତ୍ରୀ ପଦ ହାତେଇ ଆସୁଥିଲେ। ହେଲେ ୨୦୧୯ ନିର୍ବାଚନରେ ସେ ବିଜୟୀ ହେବା ସତ୍ତ୍ବେ ତାଙ୍କୁ ମନ୍ତ୍ରୀ ପଦ ମିଳି ନ ଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ବଦଳରେ ତେଲକୋଇ ନିର୍ବାଚନମଣ୍ଡଳୀର ‌ବିଧାୟକ ପ୍ରେମାନନ୍ଦ ନାୟକଙ୍କୁ ମନ୍ତ୍ରୀ କରିଥିଲେ। ଶ୍ରୀ ନାୟକଙ୍କୁ ମନ୍ତ୍ରୀ କରାଯିବା ପରେ ସେ ହିଁ ଜିଲ୍ଲାର ସାଂଗଠନିକ କଥା ବୁଝିବେ ବୋଲି ବିଜେଡିରେ ଆଲୋଚନା ହୋଇଥିଲା। ହେଲେ ସେମିତି କିଛି ବି ହେଲାନାହିଁ। ଏଣୁ ଅଦଳବଦଳ ବେଳେ ମନ୍ତ୍ରିମଣ୍ଡଳରୁ ପ୍ରେମାନନ୍ଦ ନାୟକ ବିଦା ହେବା ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଗତକାଲି ପ୍ରେମାନନ୍ଦ ନାୟକ ଇସ୍ତଫା ଦେବା ପରେ କେନ୍ଦୁଝର ଜିଲ୍ଲାରୁ ସ୍ବାଭାବିକ ଭାବେ ଅନ୍ୟ ଜଣେ କାହାକୁ ମନ୍ତ୍ରୀ କରାଯିବ ବୋଲି ପୁଣି ଆଲୋଚନା ହୋଇଥିଲା। ଏହି କ୍ରମରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ଦୁଇ ଜଣଙ୍କ ମଧ୍ୟରୁ କାହାକୁ ମନ୍ତ୍ରୀ ପଦ ମିଳିଲା ନାହିଁ। ଫଳରେ କେନ୍ଦୁଝର ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଗଲା।

ବଦ୍ରି ସମର୍ଥକଙ୍କ କହିବା କଥା ହେଉଛି, ବୟସାଧିକ କାରଣଯୋଗୁଁ ବଦ୍ରି ପାତ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲା ନାହିଁ। ମାତ୍ର ଏହି ଚର୍ଚ୍ଚାକୁ ଅନେକ ବିରୋଧୀ ଖଣ୍ଡନ କରିଛନ୍ତି। ବିରୋଧୀଙ୍କ କହିବା କଥା ହେଉଛି, ୨୦୧୯ ନିର୍ବାଚନ ପରଠାରୁ ବଦ୍ରି ପାତ୍ରଙ୍କୁ ରାଜ୍ୟ ନେତୃତ୍ବ ଚାହୁଁନାହାନ୍ତି। ଖାଲି ସେତିକି ନୁହେଁ, କେନ୍ଦୁଝର ଜିଲ୍ଲାର କିଛି ଯୁବ ନେତାଙ୍କ ବିରୋଧ ବି ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ମୀନାକ୍ଷୀ ମହାନ୍ତଙ୍କ ନାମ ମନ୍ତ୍ରିମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲେ ବି ନବୀନ ନିବାସରୁ ତାଙ୍କୁ ଡାକରା ଆସିନଥିଲା। ବହୁ ଚର୍ଚ୍ଚିତ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ କ୍ଷମତା ସଂକୁଚିତ କରିବା ପାଇଁ କିଛି ଖଣି ବ୍ୟବସାୟୀ ମୀନାକ୍ଷୀଙ୍କୁ ମନ୍ତ୍ରୀ କରିବାକୁ ଚାହୁଥିଲେ। ଏମିତିକି ନିୟମିତ ଭାବେ ତୃତୀୟ ମହଲାରେ ଲବି ଚଳାଇଥିଲେ। ହେଲେ ସନାତନଙ୍କ ବିରୋଧ ଯୋଗୁ ମୀନାକ୍ଷୀଙ୍କୁ ମନ୍ତ୍ରୀ କରାଗଲା ନାହିଁ ବୋଲି ଅନେକ ଏବେ କହିବା ଆରମ୍ଭ କଲେଣି।

ଉଲ୍ଲେଖଥାଉକି, ଗତ ପଞ୍ଚାୟତ ନିର୍ବାଚନରେ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଥିଲା ବିଜେଡି। ଜିଲ୍ଲା ପରିଷଦ ଆସନରେ ମୋଟ ୩୬ଟି ଆସନରୁ ୩୩ଟି ବିଜୟୀ ହୋଇଥିଲା। ଏମିତିକି ପୌର ନିର୍ବାଚନରେ ମୋଟ ୪ଟି ପୌର ପାଳିକା ଏବଂ ଗୋଟିଏ ଏନଏସି ମଧ୍ୟରୁ କେନ୍ଦୁଝର ପୌର ପାଳିକାକୁ ବାଦ ଦେଲେ ସମସ୍ତ ପୌର ପାଳିକ‌ାକୁ ବିଜେଡି ଦଖଲକୁ ନେଇଥିଲା। ଯେଉଁଥିପାଇଁ କେନ୍ଦୁଝର ଭାଗରେ ଗୋଟିଏ ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରାଯାଉଥିଲା।

ସମ୍ବନ୍ଧିତ ଖବର