ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କ ପାଇଁ ବଢ଼ିଲା ଅଡୁଆ : ଆୟକର ଓ ଭିଜିଲାନ୍ସ ପରେ ପ୍ରବର୍ତନ ନିର୍ଦେଶାଳୟ କରିବ ତଦନ୍ତ

ଭୁବନେଶ୍ବର : ଖରିଆର ଡିଭିଜନ୍‌ର କୋଟିପତି ଡିଏଫ୍ଓ( ଚାକିରିରୁ ବହିଷ୍କୃତ) ଶରତ ଚନ୍ଦ୍ର ପଣ୍ଡାଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ। ଆୟକର ବିଭାଗ ଓ ଭିଜିଲାନ୍ସ ପରେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରିବ ପ୍ରର୍ବତନ ନିର୍ଦେଶାଳୟ(ଇଡି)। ଡିଏଫ୍ଓ ଏତେଗୁଡ଼ିଏ ସମ୍ପତ୍ତିର ଅଧିକାରୀ କେମିତି ହେଲେ, ସେ ନେଇ ଇଡି ଖୋଳତାଡ଼ କରିବ। ଚାକିରି ଜୀବନ ମଧ୍ୟ‌ରେ କେଉଁଠୁ ସେ ଏତେଗୁଡ଼ିଏ ସମ୍ପତ୍ତି ହାତଇଲେ, ତା’ର ମଧ୍ୟ ଅନୁସନ୍ଧାନ କରିବ ଇଡି। ସେହିପରି ତାଙ୍କ ବ୍ୟାଙ୍କ ଆକାଉଣ୍ଟର ମଧ୍ୟ ଯାଞ୍ଚ କରାଯିବ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଠାରେ ପ୍ରକାଶଥାଉକି, ୨୦୧୭ ମସିହାରେ ଡିଏଫ୍ଓ ଶ୍ରୀ ପଣ୍ଡାଙ୍କ ଖରିଆର କାର୍ଯ୍ୟାଳୟ, ଭୁବନେଶ୍ବର ଗୌରୀନଗର ଘର, ବାଲେଶ୍ବର ଜିଲ୍ଲା ସୋରରେ ଥିବା ପୈତୃକ ଘରେ ଆୟକର ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଶ୍ରୀ ପଣ୍ଡାଙ୍କ ଘରୁ ୫କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଚଢ଼ଉ ବେଳେ ପଣ୍ଡାଙ୍କ କାର୍ଯ୍ୟାଳୟରୁ ନଗଦ ୬ ଲକ୍ଷ ଟଙ୍କା, ଶ୍ରୀ ପଣ୍ଡାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟର ପାସ୍‌ବୁକ୍‌, ପ୍ୟାନ୍‌ କାର୍ଡ ଆଦି ମିଳିଥିଲା। ଆୟକର ବିଭାଗ ପରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍‌ ପକ୍ଷରୁ ପୁଣିଥରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ହୋଇଥିଲା। ଆଜିଠାରୁ ସେହି ମାମଲାର ତଦନ୍ତ ପ୍ରବର୍ତନ ନିର୍ଦେଶାଳୟ କରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର