୨୫ରୁ କଳାବ୍ୟାଜ୍ ପିନ୍ଧିବେ ଓପିଜିସି ଅଫିସର୍ସ ଓ କର୍ମଚାରୀ

ଭୁବନେଶ୍ବର : ବିଭିନ୍ନ ଦାବି ନେଇ ଆସନ୍ତା ୨୫ତାରିଖରୁ କଳାବ୍ୟାଜ୍ ପରିଧାନ କରିବେ ଓପିଜିସି ଅଫିସର୍ସ ଓ କର୍ମଚାରୀ। ଗତ ୮ତାରିଖରେ ଦୁଇ ସଂଘର ହୋଇଥିବା ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଦୁଇ ସଂଘର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି।

ଓପିଜିସି ଅଫିସର୍ସ ଓ କର୍ମଚାରୀ ସଂଘର ଦାବି ମଧ୍ୟରେ ରହିଛି, ୭ମ ବେତନର ସଂଶୋଧନ, ସମାନ କାମକୁ ସମାନ ଦରମା, ସରକାରଙ୍କ ପେନସନ ଯୋଜନା ଅନୁସାରେ ଓପିଜିସିରେ ପେନସନ ଯୋଜନା କାର୍ଯ୍ୟକାରୀ କରାଯାଉ। ଅବସରଗ୍ରହଣ କରିଥିବା କର୍ମଚାରୀଙ୍କ ମେଡିକାଲ ପଲିସିକୁ ୮୦ବର୍ଷକୁ ସଂପ୍ରସାରଣ, ଆଇଟିପିଏସ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସାଇଟ୍ ଭତ୍ତା ପ୍ରଦାନ, ବିଭିନ୍ନ ଦଳରେ ଓପିଜିସି କ୍ୟାଡର ଏକ୍‌ଜିକ୍ୟୁଟିଭକୁ ନିଯୁକ୍ତ କରିବା, ମ୍ୟାନେଜମେଣ୍ଟର ଅନୁରୋଧରେ କର୍ମଚାରୀଙ୍କୁ କର୍ପୋରେଟ୍ କାର୍ଯ୍ୟାଳୟକୁ ବଦଳି, ଏଇଏସ୍‌ ରିସୋର୍ସକୁ ହଟାଇବା, କନିଷ୍ଠ ସହକାରୀଙ୍କୁ ବରିଷ୍ଠ ସହାକରୀ ପଦବିକୁ ପଦୋନ୍ନତି ଦିଆଯିବା ଭଳି ଦାବି ରହିଛି। ଏସବୁ ଦାବି ସଂପର୍କରେ ଓପିଜିସିର ମ୍ୟାନେଜମେଣ୍ଟ ସହିତ ବହୁବାର ଆଲୋଚନା ହୋଇଥିଲେ ହେଁ ଦାବି ପୂରଣ ହୋଇପାରି ନାହିଁ। ଫଳରେ ବାଧ୍ୟହୋଇ ଅଫିସର୍ସ ଓ କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧିବାକୁ ନିଷ୍ପତ୍ତି ନେଇଥିବା ସଂଘ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତୀୟ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ଶକ୍ତିମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓପିଜିସିର ପରିଚାଳନା ନିର୍ଦେଶକଙ୍କ ସମେତ ଅନ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର