ଝିଅ ଜନ୍ମ କରିବାରୁ ତଡ଼ା ଖାଇଲେ ମହିଳା

ଲଛିପୁର: ଝିଅ ଜନ୍ମ ହେବାରୁ ଜଣେ ମହିଳାଙ୍କୁ ଶ୍ବଶୁର ଘର ଲୋକ ଘରୁ ତଡ଼ିଦେବା ଭଳି ଅଭାବନୀୟ ଘଟଣା ଘଟିଛି। ଏ ନେଇ ଲଛିପୁର ଫାଣ୍ଡିରେ ଅଭିଯୋଗ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍‌ ଛକୋରମାଲ ପଞ୍ଚାୟତ ଅନ୍ତର୍ଗତ ଚହଟାଖୋଲ ଗ୍ରାମର ଯୋଗୀନ୍ଦ୍ର ହରିପାଲ ୧ ବର୍ଷ ତଳେ ଝାଙ୍କରପାଲି ଗାଁର ରାଜେଶ୍ବରୀ କୁମ୍ଭାରଙ୍କୁ ବିବାହ କରିଥିଲେ। ଗତ ଗୁରୁବାର ଦିନ ନାଇକେନପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରାଜେଶ୍ବରୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମରୁ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିଲା। ଏହା ପରେ ଝିଅ ଜନ୍ମ ଦେଇଥିବାରୁ ରାଜେଶ୍ବରୀଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ତାଙ୍କୁ ଖାଇବାକୁ ଦିଆଗଲା ନାହିଁ। ଶ୍ବଶୁର ଶରତ ହରିପାଲ, ଶାଶୂ ରୁ‌ଷି ହରିପାଲ ଓ ଦେଡ଼ଶୁର ଖଗେଶ୍ବର ହରିପାଲ ତାଙ୍କୁ ଘରୁ ବାହାରି ଯିବାକୁ କହିଲେ। ଅତ୍ୟାଚାର ସହି ନପାରି ରାଜେଶ୍ବରୀ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ।

ଗତ ୧୫ ତାରିଖରେ ବାପାଙ୍କ ସହ ଆସି ରାଜେଶ୍ବରୀ ଲଛିପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ସରୋଜ ପାଣିଗ୍ରାହୀ ରାଜେଶ୍ବରୀଙ୍କ ଶ୍ବଶୁର ଘର ଲୋକଙ୍କୁ ଡାକି ବୁଝାସୁଝା କଲେ। ମାତ୍ର ସମାଧାନ ନ ହେବାରୁ ଫାଣ୍ଡିରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର