ସିପସରୁବାଲି ମୌଜାରେ ହେବ ବିମାନବନ୍ଦର!

କେନ୍ଦ୍ରୀୟ ଦଳର ସର୍ଭେ, ବୁଲି ଦେଖିଲେ ଜାଗା
ରହିଛି ୨୮ଶହ ଏକର ସରକାରୀ ଜମି
୯୨୭ ଏକରରେ ଶାମୁକା ପ୍ରକଳ୍ପ ପାଇଁ ବୁଲିଛି ପାଚେରି
ବିମାନବନ୍ଦର ପାଇଁ ୧୫ଶହ ଏକର ଜମି ଚିହ୍ନଟ ହୋଇଛି: ଜିଲ୍ଲାପାଳ

ପୁରୀ : ଶ୍ରୀ‌କ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟ ସହର କରି ‌ଗଢ଼ି ତୋଳିବା ଲକ୍ଷ୍ୟରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ମାସ ତଳେ ପୁରୀରେ ବିଶ୍ବସ୍ତରୀୟ ବିମାନବନ୍ଦର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବ ଫଳପ୍ରସୂ ହେବାକୁ ଯାଉଛି। ବିଶ୍ବସ୍ତରୀୟ ବିମାନବନ୍ଦର ପାଇଁ ଆଜିଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ବେସାମରିକ ବିମାନ ଚଳଚଳା ମନ୍ତ୍ରାଳୟର ୩ ଜଣିଆ ଦଳ ଆଜି ପୁରୀ ଆସି ବ୍ରହ୍ମଗିରି ତହସିଲ ଅଧୀନ ସିପସରୁବାଲି ମୌଜାରେ ଥିବା ସରକାରୀ ଜମି ବୁଲି ଦେଖିଛନ୍ତି।

ଆଜି ପୂର୍ବାହ୍ନରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଳୟର ତିନି ଅଧିକାରୀ ଶାନ୍ତନୁ ଫାଲନିକର, ବି. ବିନୋଦ କୁମାର ପିଲାଇ ଓ ସୁଶୀଲ ବର୍ମା ପୁରୀଠାରେ ପହଞ୍ଚି ପ୍ରଥମେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ବିମାନବନ୍ଦର ପାଇଁ ଚିହ୍ନଟ ଜମି ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଅଧିକାରୀମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନବନ୍ଦର ପାଇଁ ପ୍ରସ୍ତାବିତ ସିପସରୁବାଲି ମୌଜାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଠାରେ ଥିବା ସରକାରୀ ଜମି ସବୁ ବୁଲି ଦେଖିବା ସହ ପ୍ରତିକୂଳ ଓ ଅନୁକୂଳ ଦିଗକୁ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସିପସରୁବାଲି ଅଞ୍ଚଳର ଭୌଗୋଳିକ ସ୍ଥିତି, ବିମାନ ଉଡ଼ାଣ ଓ ଅବତରଣ ପାଇଁ ଆବଶ୍ୟକ ସ୍ଥାନ, ଯୋଗାଯୋଗ ବ୍ୟବସ୍ଥା, ଅର୍ଥନୈତିକ ପ୍ରଭାବ, ବାୟୁ ପ୍ରବାହ ଦିଗ ଆଦି ସଂପର୍କରେ ସବିଶେଷ ତଥ୍ୟ ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ ଦଳକୁ ପ୍ରଦାନ କରିଥିଲା। କେନ୍ଦ୍ରୀୟ ଦଳ ସିପସରୁବାଲି ମୌଜାର ସଂପୂର୍ଣ୍ଣ ନକ୍ସା ବି ଦେଖିଥିଲେ। ପରେ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ରେ ଜିଲ୍ଲାପାଳ ଶ୍ରୀ ବର୍ମା, ପୁରୀ ବନଖଣ୍ଡ ଅଧିକାରୀ ରାମସ୍ବାମୀ ପି, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖଙ୍କ ସହ ଏକ ଆଲୋଚନା ବୈଠକରେ ଯୋଗ ଦେଇଥିଲେ।

ବୈଠକ ପରେ ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ଯେ କେନ୍ଦ୍ରୀୟ ଦଳରେ ଟୋପୋଲୋଜି, ଆର୍କ୍ସିଟେକ୍ଟ ଅଧିକାରୀମାନେ ଥିଲେ। ଏହି ଅବସରରେ ପୁରୀରେ ବିମାନ ବନ୍ଦର ନେଇ ଏହି ଦଳକୁ ସମ୍ଭାବନା ରିପୋର୍ଟ ପ୍ରଦାନ କରାଯାଇଛି। ପ୍ରସ୍ତାବିତ ଅଞ୍ଚଳକୁ ନେଇ କେନ୍ଦ୍ରୀୟ ଦଳ ଖୁସି ବ୍ୟକ୍ତ କରିଛନ୍ତି। ପୁରୀ ସମୁଦ୍ରକୂଳରେ ଅବସ୍ଥିତ ସିପସରୁବାଲି ମୌଜାରେ ପ୍ରାୟ ୨୮ଶହ ଏକର ସରକାରୀ ଜମି ରହିଥିବାବେଳେ ମଙ୍ଗଳା ନଦୀରୁ ବାଲିହରଚଣ୍ଡୀ ପର୍ଯ୍ୟନ୍ତ ବିସ୍ତୃତ ଏହି ଜମିରୁ ପ୍ରାୟ ୯୨୭ ଏକର ସରକାରୀ ଜମି ଶାମୁକା ପ୍ରକଳ୍ପ ପାଇଁ ସଂରକ୍ଷିତ ରଖାଯାଇଛି। ଇଡ୍‌କୋ ଏହି ଜମିରେ ଇଟାର ପାଚେରି ବୁଲାଇଛି। କିନ୍ତୁ ଏନ୍‌ଜିଟି ବିବାଦରେ ଫସି ରହିଛି ଏହି ଜମି। ବାକି ପ୍ରାୟ ୧୮ଶହ ଏକର ସରକାରୀ ଜମି ରହିଥିବାବେଳେ ଏଠାରେ ରାଜ୍ୟ ସରକାର ବିଶ୍ବସ୍ତରୀୟ ବିମାନବନ୍ଦର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅନ୍ୟ ପଟେ ଉପକୂଳ ରାଜପଥ ବି ଏହି ବାଟ ଦେଇ ଯାଉଥିବା ଜଣାପଡ଼ିଛି। ସେପଟେ ମଙ୍ଗଳହାଟ-ଷ୍ଟର୍ଲିନ୍‌ ରାସ୍ତା ସଂପ୍ରସାରଣ ହୋଇ ବାଲିହରଚଣ୍ଡୀରେ ଲାଗିବାକୁ ଯୋଜନା କରାଯାଉଛି। ଏଥି ପାଇଁ ପ୍ରାଥମିକ ପର୍ଯ୍ୟାୟ କାମ ବି ଆରମ୍ଭ ହୋଇଛି। ଗମନାଗମନ ସହ ଅନ୍ୟାନ୍ୟ ଦୃଷ୍ଟିରୁ ଏହି ଜମି ସର୍ବୋତ୍କୃଷ୍ଟ ହେବ ବୋଲି ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ ଦଳକୁ ସୂଚିତ କରିଥିବା ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୧ ନୂଆବର୍ଷ ଅର୍ଥାତ୍‌ ଜାନୁଆରି ପହିଲାରେ ମୁଖ୍ୟମନ୍ତ୍ରୀ ପୁରୀରେ ବିଶ୍ବସ୍ତରୀୟ ବିମାନବନ୍ଦର କରିବା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ସରିଥିବାବେଳେ ଏ ଦିଗରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ। କେନ୍ଦ୍ରୀୟ ଦଳ ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତ କରି ଆସନ୍ତାକାଲି ରାଜ୍ୟ ସରକାରଙ୍କ ସହ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର