ବିଟେକ୍‌ରେ ବଢ଼ୁଛନ୍ତି ପିଲା, ତଥାପି ଖାଲି; ୩୦ ଯାଏ ବଢ଼ିଲା ନାମଲେଖା ଅବଧି

ଓଜେଇଇ କାଉନସେଲିଂରେ ୧୩ ହଜାର ପୂରଣ, କଲେଜସ୍ତରରେ ୮ ହଜାର ସିଟ୍‌ ପୂରଣ: ଓପେକା

ଭୁବନେଶ୍ବର: ବିଟେକ୍‌ ସମେତ ଅନ୍ୟାନ୍ୟ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସାମାନ୍ୟ ବୃଦ୍ଧି ପାଇଛି। ଗତ ୫ ବର୍ଷ ହେଲା ଯେଉଁଭଳି ଭାବେ ସିଟ୍‌ ଖାଲି ପଡ଼ିଥିଲା ଏଥର ଟିକିଏ ତଫାତ୍‌ ଦେଖିବାକୁ ମିଳିଛି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ମାଧ୍ୟମରେ ଚାଲିଥିବା ନାମଲେଖା ପ୍ରକ୍ରିୟାରେ ୧୩ ହଜାରରୁ ଅଧିକ ସିଟ୍‌ ପୂରଣ ହୋଇଛି। ଅର୍ଥାତ୍‌ ମୋଟ ସିଟ୍‌ର ପାଖାପାଖି ୩୦% ସିଟ୍‌ ଓଜେଇଇ କାଉନସେଲିଂ ମାଧ୍ୟମରେ ହୋଇଛି। ବାକି ସିଟ୍‌ଗୁଡ଼ିକ ଲାଗି କଲେଜସ୍ତରରେ ଅନୁଷ୍ଠିତ ନାମଲେଖାରେ ପାଖାପାଖି ୭ରୁ ୮ ହଜାର ସିଟ୍‌ ପୂରଣ ହୋଇଥିବା ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ପକ୍ଷରୁ ଦାବି କରାଯାଇଛି। ଗତ ୨୦ ତାରିଖରେ କଲେଜସ୍ତରୀୟ ନାମଲେଖା ଶେଷ ହୋଇଥିଲେ ମଧ୍ୟ ଅନେକ ଛାତ୍ରଛାତ୍ରୀ ନାମଲେଖାଇପାରି ନ ଥିବା ଜଣାପଡ଼ିଛି।‌ ଯେଉଁଥିପାଇଁ ଏବେ ଇଞ୍ଜିନିୟରିଂ ପାଠ୍ୟକ୍ରମର ନାମଲେଖା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। କଲେଜଗୁଡ଼ିକ ନଭେମ୍ବର ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇ ପାରିବେ।

ଏଭଳି ନିଷ୍ପତ୍ତି ଦ୍ବାରା ସରକାରୀ ଓ ଘରୋଇ କଲେଜଗୁଡ଼ିକ ଉପକୃତ ହେବା ଏକପ୍ରକାର ନିଶ୍ଚିତ। କାରଣ ଏବେ ବି ସରକାରୀ ଇଞ୍ଜିନିୟରିଂ କଲେଜର ବିଭିନ୍ନ ବିଭାଗରେ ୧୫% ସିଟ୍‌ ଖାଲି ପଡ଼ିଛି। ସରକାରୀ କଲେଜର କେତେକ ବିଭାଗରେ ବହୁ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ସେହିପରି ପ୍ରତିବର୍ଷ ପରି ଏଥର ମଧ୍ୟ ଘରୋଇ ଇଞ୍ଜିନିୟରିଂ କଲେଜରେ ହଜାର ହଜାର ସିଟ୍‌ ଖାଲି ପଡ଼ିଛି। କେଉଁ କଲେଜରେ କେତେ ସିଟ୍‌ ବଳକା ରହିଛି ସେନେଇ ଏବେ ସୁଦ୍ଧା ଜଣାପଡ଼ି ନ ଥିଲେ ମଧ୍ୟ ୮ରୁ ୧୦ଟି ଘରୋଇ ଇଞ୍ଜିନିୟରିଂ କଲେଜକୁ ବାଦ୍‌ ଦେଲେ ଅନ୍ୟଗୁଡ଼ିକ ପ୍ରତି ପିଲାମାନଙ୍କର ସେଭଳି ଆଗ୍ରହ ଦେଖିବାକୁ ମିଳିନାହିଁ। ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ୩୩ ହଜାର ବି.ଟେକ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି କାଉନସେଲିଂ କରାଯିବ ବୋଲି ଓଜେଇଇ ପକ୍ଷରୁ ସ୍ଥିର ହୋଇଥିଲା। ତେବେ ପ୍ରଥମ ଥର ଲାଗି ସମସ୍ତ ଟେକ୍ନିକାଲ ଓ ପ୍ରଫେସନାଲ କୋର୍ସରେ ସାଧାରଣ ବର୍ଗର ଇଡବ୍ଲୁଏସ୍‌(ଆର୍ଥିକ ଦୁର୍ବଳ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ଲାଗି ୧୦% ସଂରକ୍ଷଣ

ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଥିଲା। ନୂଆ ନିୟମ ଲାଗୁ ‌ଦ୍ବାରା ମୋଟ ସିଟ୍‌ର ୨୫% ବୃଦ୍ଧି ପାଇଥିଲା। ୨୫% ସିଟ୍‌ ବୃଦ୍ଧି ପାଇବା ପରେ ୮୯ଟି ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ରାୟ ୪୦ ହଜାର ସିଟ୍‌ରେ ନାମଲେଖା ହୋଇଥିଲା।
ଓଜେଇଇ ପକ୍ଷରୁ କରାଯାଇଥିବା କାଉନ‌ସେଲିଂରେ ୧୩ ହଜାର ୧୦୦ ସିଟ୍‌ ପୂରଣ ହୋଇଥିଲା, ଯାହାକି ଗତ ୫ ବର୍ଷ ତୁଳନାରେ ସର୍ବାଧିକ। ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଓଜେଇଇ କାଉନସେଲିଂରେ ଅତିବେଶିରେ ୮ରୁ ୧୧ ହଜାର ପର୍ଯ୍ୟନ୍ତ ସିଟ୍‌ ପୂରଣ ହୋଇଥିଲା ଏବଂ ବହୁ ସିଟ୍‌ ଖାଲି ପଡ଼ିଥିଲା। ମାତ୍ର ଏଥର କାଉନସେଲିଂରେ ପିଲାଙ୍କ ନାମଲେଖା ସାମାନ୍ୟ ବଢ଼ିଛି ସତ। ତା’ପରେ ବି ସିଟ୍‌ ଖାଲି ରହିଛି। ଯଦି ଦେଖାଯାଏ ୨୦୨୧ରେ ୨୩ ହଜାର ସିଟ୍‌ ଖାଲିଥିବା ବେଳେ ୨୦୨୦ରେ ୨୨ହଜାର, ୨୦୧୯ରେ ୨୧ହଜାର ୫୦୦, ୨୦୧୮ରେ ୨୮ ହଜାର, ୨୦୧୭ରେ ୩୦ ହଜାରରୁ ଅଧିକ ସିଟ୍‌ରେ କେହି ନାମ ଲେଖାଇ ନ ଥିଲେ। ଏଥର ଓଜେଇଇ କାଉନସେଲିଂ ପରେ ପାଖାପାଖି ୨୬ ହଜାର ସିଟ୍‌ ଖାଲି ପଡ଼ିଛି।

ଓପେକା ସମ୍ପାଦକ ବିନୋଦ ଦାଶ କହିଛନ୍ତି ଯେ ଓଜେଇଇସ୍ତରରେ ହୋଇଥିବା କାଉନସେଲିଂରେ ୧୩ ହଜାରରୁ ଅଧିକ ସିଟ୍‌ ପୂରଣ ହୋଇସାରିଛି। ନଭେମ୍ବର ପ୍ରଥମ ସପ୍ତାହରୁ ଓଜେଇଇ କାଉନସେଲିଂ ଶେଷ ହୋଇଛି। ଏବେ କଲେଜସ୍ତରରେ ନାମଲେଖା ଚାଲିଛି। ୨୦ ତାରିଖ ଶେଷ ତାରିଖ ଥିଲା। ‌ଏବେ ତାହାକୁ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବର୍ଷ ବି ଘରୋଇ କଲେଜରେ କିଛି ସିଟ୍‌ ଖାଲି ପଡ଼ିଛି। ସରକାରୀ ଇଞ୍ଜିନିୟରିଂ କଲେଜରେ ବି ୨୦%ରୁ ଅଧିକ ସିଟ୍‌ରେ ପିଲା ନାମ ଲେଖାଇ ନାହାନ୍ତି। ଶିକ୍ଷାନୁଷ୍ଠାନସ୍ତରରେ ନାମଲେଖା ପାଇଁ ଏବେ କାଉନସେଲିଂ ପ୍ରକ୍ରିୟା ଜାରି ରହିଛି। ଏବେ ସୁଦ୍ଧା ୮ରୁ ୯ ହଜାର ଅଧିକ ସିଟ୍‌ ପୂରଣ ହୋଇଛି। ୩୦ ସୁଦ୍ଧା ଆଉ କିଛି ପୂରଣ ହୋଇଯିବ।

ସମ୍ବନ୍ଧିତ ଖବର