ସଂକୀର୍ତନରେ କମ୍ପିଲା ରାଜଧାନୀ

ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସେବା ବିକାଶ ପରିଷଦର ସଂକୀର୍ତନ ସମାବେଶ
ଯୋଗ ଦେଲେ ୫ହଜାର ସଂକୀର୍ତନ ମଣ୍ଡଳୀର ୫୦ ହଜାର କୀର୍ତନିଆ
ଶ୍ରୀ ଜଗନ୍ନାଥଙ୍କ ଅବହେଳା ଓଡ଼ିଶାରେ ବିଭ୍ରାଟ ଆଣୁଛି: ସୌମ୍ୟରଂଜନ

ଭୁବନେଶ୍ୱର : ଭକ୍ତ ଜଗନ୍ନାଥଙ୍କ ଅଧୀନ ନୁହନ୍ତି, ଜଗନ୍ନାଥ ଭକ୍ତଙ୍କ ଅଧୀନ। ଭକ୍ତ ହେଉଛନ୍ତି ଜଗନ୍ନାଥଙ୍କ ସାକ୍ଷାତ ରୂପ। ମାତ୍ର ନବକଳେବରଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ, ସେବା ନୀତି ଓ ଶ୍ରୀମନ୍ଦିର ପରିଚାଳନାରେ ଅବହେଳା ଯୋଗୁଁ ଓଡ଼ିଶାରେ ବିଭ୍ରାଟ ହେଉଛି। ସରକାର ଏ ଦିଗରେ ଦୃଷ୍ଟି ଦିଅନ୍ତୁ। ଆଜି ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସେବା ବିକାଶ ପରିଷଦ ପକ୍ଷରୁ ରାଜଧାନୀରେ ଅନୁଷ୍ଠିତ ବିଶାଳ ସଂକୀର୍ତନ ସମାବେଶରେ ଯୋଗ ଦେଇ ଏ କଥା କହିଛନ୍ତି ପରିଷଦର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ।

ଏହି ବିଶାଳ ସଂକୀର୍ତନ ସମାବେଶରେ ଯୋଗ ଦେବା ଆଜି ରାଜ୍ୟର କୋଣ ଅନୁକୋଣରୁ ରାଜଧାନୀକୁ ଛୁଟି ଆସିଥିଲେ ହଜାର ହଜାର କୀର୍ତନିଆ। ପ୍ରାୟ ୫ ହଜାର ସଂକୀର୍ତନ ମଣ୍ଡଳୀର ୫୦ ହଜାର କୀର୍ତନିଆ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ସଂକୀର୍ତନ ଶୋଭାଯାତ୍ରା ବାହାରି ରାମ ମନ୍ଦିର ଦେଇ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିଥିଲା। ସଂକୀର୍ତନ ମଣ୍ଡଳୀଙ୍କ ଖୋଳ, ଝାଞ୍ଜ ଓ ଗିନି ମାଡ଼ରେ ରାଜଧାନୀର ରାଜରାସ୍ତା କମ୍ପି ଉଠିଥିଲା। ପରେ ପ୍ରଦର୍ଶନୀ ପଡ଼ିଆରେ ସାମୂହିକ ଆଳତୀ ହୋଇଥିଲା। ଏଥିରେ ସମସ୍ତ ସଂକୀର୍ତନ ମଣ୍ଡଳୀ ଏକ ସ୍ୱରରେ ରାମ ନାମ ଜପ କରିଥିଲେ।

ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଜଗନ୍ନାଥ ଜାତିଆଣରେ ବିଶ୍ୱାସ କରନ୍ତି ନାହିଁ। ଜାତି ଓ ଧର୍ମ ନାଁରେ ଭାଗ ଭାଗ କରିବାକୁ ଚାହୁଁଥିବା ଲୋକମାନଙ୍କୁ ଏହି ସମାବେଶ ସର୍ବଧର୍ମ ଓ ସମନ୍ଵୟର ବାର୍ତା ଦେଉଛି। ରାଜଧାନୀରୁ ସାରା ଓଡ଼ିଶାକୁ ଆଧ୍ୟାତ୍ମିକତାର ବାର୍ତା ପହଞ୍ଚାଇବାର ହେଉଛି ଏହି ସମାବେଶର ଲକ୍ଷ୍ୟ। ସଂକୀର୍ତନ ମଣ୍ଡଳୀକୁ ଏକାଠି ହୋଇ ଗାଁ ଗହଳିରେ ଥିବା ଭାଗବତୀ ଟୁଙ୍ଗୀର ପୁନରୁଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ନବନିର୍ମାଣ କୃଷକ ସଂଗଠନର ଶକ୍ତି ଓ ସଂକୀର୍ତନ ମଣ୍ଡଳୀର ଭକ୍ତି ରହିଛି। ଦୁହେଁ ମିଶିଲେ ରାଜ୍ୟରେ ପରିବର୍ତନ ଆସିବ। ସଂଗଠନର ସଭାପତି ଦିବାକର ପାତ୍ର କହିଲେ, ଆଗାମୀ ଦିନରେ ୧୦ରୁ ୧୫ଲକ୍ଷ ସଂକୀର୍ତନ ମଣ୍ଡଳୀଙ୍କ ପରିବାରକୁ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ପରିବାରର ଭରଣ ପୋଷଣ ଦାୟିତ୍ୱ ନେବା ସହିତ କୀର୍ତନ ବଞ୍ଚିବ ଓ କୀର୍ତନିଆ ବଞ୍ଚିବେ ତାହାକୁ ସଂଗଠନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାକୁ ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀରେ ପରିଣତ କରିବା ପାଇଁ ସେ ଆହ୍ଵାନ କରିଥିଲେ।

ସାଧାରଣ ସଂପାଦକ ଶିବ ପ୍ରସାଦ ସ୍ୱାଇଁ ସଂଗଠନ ପକ୍ଷରୁ ରହିଥିବା ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସେ କହିଥିଲେ, ସତ୍ୟ, ଧର୍ମ ଓ ଭାଇଚାରା ପ୍ରତିଷ୍ଠା କରିବା ହେଉଛି ପରିଷଦର ମୁଖ୍ୟ ଲକ୍ଷ୍ୟ। ଏହାସହ ପରିଷଦ ପକ୍ଷରୁ ବର୍ଷକୁ ୩୬୦ଦିନ ମାଗଣାରେ ଶ୍ରୀ ମନ୍ଦିରରେ ସଂକୀର୍ତନ ବେଢ଼ା ପରିକ୍ରମା ଓ ଶରଧା ବାଲି ନଗର କୀର୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱଶାନ୍ତି ପାଇଁ ଶ୍ରୀ ଚୈତନ୍ୟଙ୍କ ପଥ ଅନୁସରଣ କରି କଟକ ଗଡ଼ଗଡ଼ିଆ ଘାଟଠାରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସଂକୀର୍ତନ ପଦଯାତ୍ରା କରାଯିବ। ସେହିପରି ବିଶ୍ୱଶାନ୍ତି ପାଇଁ ବିଶ୍ୱ ଭ୍ରମଣ କରିବା ଉପରେ ରାଜ୍ୟ ସରକାରଙ୍କୁ ୨୦୧୬ ମସିହାରୁ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସଂଗଠନର ମୁଖ୍ୟ ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା।

ସମାବେଶରେ ପରିଷଦର ରାଜ୍ୟ ପ୍ରଭାରୀ ବିପ୍ରବର ସାହୁ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ବିପିନ ବିହାରୀ ଦାସ, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉପଦେଷ୍ଟା ଦେବଦତ୍ତ ବେଉରା, ପଦ୍ମଚରଣ ବେଉରା, ବିଜୟାନନ୍ଦ ପରିଡ଼ା, ପ୍ରଶାନ୍ତ ରାଉତ, ସୁଶାନ୍ତ ଦଳେଇ, ରବି ନାରାୟଣ ସ୍ୱାଇଁ, ସତ୍ୟ ନାରାୟଣ ପାଣି, ପ୍ରଭାକର ରାଉତ ଓ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର