ସିବିଆଇ ଜାଲରେ କୋଦଳା ପିଏନ୍‌ବି ଶାଖା ମ୍ୟାନେଜର

ଭୁବନେଶ୍ବର: ଜଣେ ଗ୍ରାହକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ କୋଦଳା ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ (ପିଏନ୍‌ବି) ଶାଖା ମ୍ୟାନେଜର ସିଦ୍ଧାର୍ଥ ଶଙ୍କର କୁଣ୍ଡୁଙ୍କୁ ସିବିଆଇ ଗିରଫ କରିଛି। ଋଣ ପରିଶୋଧ କରିବା ପରେ ବନ୍ଧକ ପଡ଼ିଥିବା କାଗଜପତ୍ର ଫେରାଇବା ପାଇଁ କୁଣ୍ଡୁ ଲାଞ୍ଚ ନେଉଥିଲେ। ଗତକାଲି ସନ୍ଧ୍ୟାରେ ସିବିଆଇ ଟିମ୍ ତାଙ୍କୁ ଗିରଫ କରିବା ପରେ ଆଜି ସକାଳେ କୋର୍ଟ ଚାଲାଣ କରିଥିଲା। ତେବେ ଅଧିକ ତଦନ୍ତ ଲାଗି ସିବିଆଇ ରିମାଣ୍ଡ ପାଇଁ ଅନୁମତି ଲୋଡ଼ିଥିଲା ଓ କୋର୍ଟ ଗୋଟିଏ ଦିନର ରିମାଣ୍ଡ ଅନୁମତି ଦେଇଥିଲେ। ତେଣୁ ଅଭିଯୁକ୍ତ କୁଣ୍ଡୁ ଆଜି ରିମାଣ୍ଡରେ ସିବିଆଇ ହେପାଜତରେ ଅଛନ୍ତି ଓ ଆସନ୍ତାକାଲି ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ।
କୋଦଳା ଥାନା କେ. ବରିଡ଼ା ଅଞ୍ଚଳରେ ଅଭିଯୋଗକାରୀ ଭଗବାନ ପ୍ରଧାନଙ୍କ ଘର। ବ୍ୟବସାୟ କରିବା ପାଇଁ ତାଙ୍କ ପତ୍ନୀ କୋଦଳା ପିଏନ୍‌ବି ଶାଖାରୁ ୮୦ ହଜାର ଟଙ୍କା ଋଣ ନେଇଥିଲେ। ଏ ବାବଦରେ ସେ କିଛି କାଗଜପତ୍ର, ବ୍ଲାଙ୍କ୍‌ ଚେକ୍ ବନ୍ଧକ ରଖିଥିଲେ। ଗତ ମାର୍ଚ୍ଚ ୩୧ ତାରିଖରେ ଓ୍ଵାନ୍ ଟାଇମ୍ ସେଟେଲମେଣ୍ଟ ଜରିଆରେ ସେ ଋଣ ପରିଶୋଧ କରିଥିଲେ। କିନ୍ତୁ ସେ ବନ୍ଧକ ରଖିଥିବା କାଗଜପତ୍ର ଫେରାଇବା ପାଇଁ ଅଭିଯୁକ୍ତ ମ୍ୟାନେଜର କୁଣ୍ଡୁ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଭଗବାନ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର