ଖଣି ନେବାକୁ ଆସୁନାହାନ୍ତି ନୂଆ ଲିଜଧାରୀ, ଚିନ୍ତାରେ କୋଇଡ଼ା ଖଣି ଶ୍ରମିକ

ରାଉରକେଲା : ନୂଆ ଲିଜ୍‌ଧାରୀ ଆସୁନଥିବାରୁ କୋଇଡ଼ା ଅଞ୍ଚଳର ବହୁ ଖଣି ବନ୍ଦ ରହିଛି। ଲକ୍‌ଡାଉନ୍‌ ପାଇଁ ଖଣି ଶ୍ରମିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ବେଳେ ଖଣି ଖୋଲିବା‌ରେ ବିଳମ୍ବ ହେଉଥିବାରୁ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ପୁରୁଣା ଖଣି ମାଲିକଙ୍କ ଅଧୀନରେ କାମ କରୁଥିବା ଏହି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ନ ମିଳିଲେ ବହୁ କର୍ମଚାରୀ ଜୀବିକା ହରାଇବା ସୁନିଶ୍ଚିତ।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ରହିଛି ୩୦ଟି ଲୌହ ଓ ବକ୍ସସାଇଟ୍‌ ଖଣି । ଏହି ଖଣିରେ ରାଜ୍ୟ ଓ ରାଜ୍ୟ ବାହାରର ହଜାର ହଜାର ଶ୍ରମିକ କାମ କରୁଛନ୍ତି। ବହୁ ଖଣିର ଲିଜ୍‌ ଅବଧି ଶେଷ ହେବା ପରେ ପୁନଃ ନିଲାମ ପ୍ରକ୍ରିୟା ଫେବୃୟାରୀ ୧୮ ରୁ ଆରମ୍ଭ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶେଷ ହୋଇଥିଲା। କୋଇଡା ଓ ଯୋଡା ଅଞ୍ଚଳର ୧୯ଟି ଖଣିକୁ ସରକାର ନିଲାମ ପକ୍ରିୟାର ପରିସରଭୁକ୍ତ କରିଥିଲେ। କିନ୍ତୁ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳରେ ଖଣି କାର୍ଯ୍ୟ କରୁଥିବା ବହୁ ନାମୀ କମ୍ପାନି ନିଲାମରେ ସାମିଲ ହୋଇ ଖଣି ହାତେଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଅନେକ ନୂଆ କମ୍ପାନି ଏଥର ଖଣି ପାଇବାରେ ସକ୍ଷମ ହୋଇଛନ୍ତି।
ନିଲାମରେ ୧୯ଟି ଖଣି ମଧ୍ୟରୁ ଏସ୍‌ଡବ୍ଲୁ କମ୍ପାନି ୪ଟି ଖଣି ହାତେଇ ଥିବା ବେଳେ ମିତଲକୁ ଗୋଟିଏ , ସିରାଜ୍‌ଉଦ୍ଦିନକୁ ୧, ଶ୍ୟାମ୍‌ ଷ୍ଟିଲ୍‌ ଗୋଟିଏ , କେ ଏନ ରାମ ୧ , ପି ଏମ ପି ଗୋଟିଏ , ଫୋମେଣ୍ଟ ୧ , ଲାଲ ଟ୍ରେଡ଼ର ୧ , ଭିସାଲ ଏଲପିଜି ୧ , କତ୍ସଭି ସ୍ପଞ୍ଜ ୨, ୟାଜାଦିନ ୧ , ତରମା ଆପର୍ଟମେଣ୍ଟ ୧ , ମା ଜଗତ ଜନନୀ ୧ , ଅଗ୍ରସେନ ସ୍ପଞ୍ଜ ୧ ଓ ପିଏମ ଗ୍ରାନେଟ୍‌ ୧ ଖଣି ଉଚ୍ଚା ଦାମରେ ହାତେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ୧୯ଟି ଖଣି ମଧ୍ୟରୁ ରୁଙ୍ଗଟା,ଏମ୍ ଟି ସି ଓ ଆଲୁୱାଲିଆ ଭଳି ଖଣି କମ୍ପାନି ଏଥିରୁ ବଞ୍ଚିତ ହୋଇଛନ୍ତି।
ପୁରୁଣା ଖଣି ମାଲିକ ଲିଜ୍‌ରୁ ବଞ୍ଚିତ ହେବା ପରେ ଖଣି ଓ ଏହାର ଅଫିସ ବନ୍ଦ କରିଦେଲେଣି। ଫଳରେ ଖଣିରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ଚାକିରି ହରାଇଛନ୍ତି। ନୂତନ ଲିଜ୍‌ଧାରୀ ମାନଙ୍କୁ ଖଣି ଅନୁମୋଦନ ମିଳି ପାରୁ ନ ଥିବା ସହ ସରକାରୀ କାଗଜପତ୍ର ଓ ବହୁ ବିଭାଗୀୟ ଅନୁମତିରେ ବିଳମ୍ବ ହେଉଛି।  ହଜାର ହଜାର କର୍ମଚାରୀ ଓ ଶ୍ରମିକ ନିଜର ରୋଜଗାର ହରାଇବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଲାଣି । ନୂତନ ଲିଜ୍‌ଧାରୀ ଆସି ଖଣି ଆରମ୍ଭ କଲେ ପୁନଃ ନିଯୁକ୍ତି ପାଇବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି । କିନ୍ତୁ ନୂଆ ଖଣି ମାଲିକ ସେମାନଙ୍କୁ ନିଯୁକ୍ତି ଦେବେ ନା ନୂଆ ନିଯୁକ୍ତି କରିବେ ସେ ନେଇ ଅନେକ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର