କୋଣାର୍କ ସଂରକ୍ଷଣ ମାମଲା: ସାନି ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗରେ ହାଇକୋର୍ଟ ଶୁଣାଣି କରି ଆମିକସକ୍ୟୁରୀଙ୍କୁ ସାନି ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସକ୍ୟୁରୀ କୋଣାର୍କ ଗସ୍ତ କରିବେ। କୋଣାର୍କ ମନ୍ଦିରର ଏବେ କ’ଣ ସ୍ଥିତି ରହିଛି, ସେ ନେଇ ଆମିକସକ୍ୟୁରୀ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ କୋର୍ଟରୁ କ’ଣ ନିର୍ଦ୍ଦେଶ ଆବଶ୍ୟକ, ସେ ନେଇ ସତ୍ୟପାଠରେ ଉଲ୍ଲେଖ କରିବ‌ାକୁ ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ମହାପାତ୍ରଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮କୁ ଧାର୍ଯ୍ୟ କରାଯାଇଛି।

ହାଇକୋର୍ଟଙ୍କ ୨୦୧୯, ଜୁଲାଇ ୨୨ ନି‌େର୍ଦ୍ଦଶ ଅନୁସାରେ ଆମିକସକ୍ୟୁରୀ ଇଂଜିନିୟର ଏନ.କେ.ମହାନ୍ତି ୨୦୧୯, ନଭେମ୍ବର ୧୮ରେ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ବିଭିନ୍ନ ପ୍ରସ୍ତାବ ରଖାଯାଇଥିଲା। ୟୁନେସ୍କୋ ବିଶେଷଜ୍ଞ, ରୁରକି ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆରଆଇ), ଏଏସଆଇ କର୍ତ୍ତୃପକ୍ଷଙ୍କ ସହିତ ୱାର୍କିଂ ଗ୍ରୁପ୍-୧ ଓ ୨ ଏହି ପ୍ରସଂଗରେ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆମିକସକ୍ୟୁରୀ ପରାମର୍ଶ ଦେଇଥିଲେ। ଏଥି ସହିତ ମନ୍ଦିର ଚାରିକଡେ ସବୁଜ ବଳୟ ଉପରେ ମଧ୍ୟ ରିପୋର୍ଟରେ ଗୁରୁତ୍ବାରୋପ କରାଯାଇଥିଲା

ଉଲ୍ଲେଖଯୋଗ୍ୟ ଯେ ୨୦୧୬ରେ ଦାୟର ଏହି ମାମଲାର ଶେଷଥର ୨୦୧୯ ଡିସେମ୍ବରରେ ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଓ ଏଏସଆଇ ତରଫରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର