କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି, ପାଟଣାଗଡ଼ ଥାନା ଘେରିଲା କୋଶଲ ମୁକ୍ତି ମୋର୍ଚ୍ଚା

ଟେଣ୍ଟ ଲଗାଇବାକୁ ମନାକଲା ପୁଲିସ, ଖରା ତାତିରେ ୩ ଆନ୍ଦୋଳନକାରୀ ଅସୁସ୍ଥ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଜେଇ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କୋଶଲ ମୁକ୍ତିମୋର୍ଚ୍ଚା। ଏନେଇ ସୋମବାର ମୁକ୍ତିମୋର୍ଚ୍ଚା ପକ୍ଷରୁ ପାଟଣାଗଡ଼ ଥାନା ଘେରାଉ କରାଯାଇଥିଲା। ଖରା ତାତିରେ ୩ ଜଣ ଆନ୍ଦୋଳନକାରୀ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପ୍ରକାଶ ଯେ ଜେଇ ସୁରେଶ ଚନ୍ଦ୍ର ସାହୁଙ୍କୁ ଅନ୍ୟତ୍ର ହତ୍ୟା କରି ବନକାବିଅର ଗ୍ରାମ ନିକଟ ଏକ କପା ବିଲରେ ଫିଙ୍ଗି ଦିଆଯାଇଥିଲା। ଘଟଣାକୁ ୧୮ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇ ପାରି ନାହିଁ। ଏହାକୁ ନେଇ ୫ଦିନ ତଳେ କୋଶଲ ମୁକ୍ତି ମୋର୍ଚ୍ଚା ଉଭୟ ବିଡିଓ ଏବଂ ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ନ ଧରିଲେ ଥାନା ଘେରାଉ କରାଯିବ ବୋଲି ଧମକ ଦେଇଥିଲା। ସୋମବାର ମୁକ୍ତିମୋର୍ଚ୍ଚାର ସଦସ୍ୟମାନେ ଥାନା ପରିସରକୁ ଆସି ଏସ୍‌ଡିପିଓଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ଟେଣ୍ଟ ଲଗାଇବାକୁ ପୁଲିସ ମନା କରିବାରୁ ଖରାରେ ବସିଥିଲେ। ହତ୍ୟାକାଣ୍ଡ ପରେ ବିଡିଓ ଓ ଏସ୍‌ଡିପିଓ ଛୁଟିରେ ଯିବା ସନ୍ଦେହ ସୃଷ୍ଟି କରିଛି।

କାହା ଚାପରେ ପୁଲିସ ହାତବାନ୍ଧି ବସି ରହିଛି ବୋଲି ସେମାନେ ପ୍ରକାଶ କରିଥିଲେ। ଖରାରେ ଧାରଣା ଦେଉଥିବା ବେଳେ ୩ ଜଣ ଆନ୍ଦୋଳନକାରୀ ସିପୁନ ଖମାରୀ, ଲଳିତ ବରିହା ଓ ସରସ୍ବତୀ ବରିହା ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହା ପରେ ଥାନାଧିକାରୀ ଅନନ୍ତ ପଧାନ, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଏବଂ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ସାହୁ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ତଥାପି ଆନ୍ଦୋଳନକାରୀମାନେ ଜିଦ୍‌ରେ ଅଟଳ ରହି ଦିନ ତମାମ ଖରାରେ ଧାରଣା ଦେଇଥିଲେ।

ରାତି ୯ଟାରେ ଏଏସ୍‌ପି ଦିଲୀପ ପଟେଲ ହପଞ୍ଚି ଆନ୍ଦୋଳନକାରୀମାନଙ୍କ  ସହ ଆଲୋଚନା କରିଥିଲେ। ୨ ମାସ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହି ଧାରଣାରେ ଗିରିଧାରୀ ଭୋଇ, ସିପୁନ ଖମାରୀ, ସୁଶୀଲ ଗୁରୁ, ବନମାଳୀ ନାଏକ, ଜିତୁ ନାଏକ, ଲକ୍ଷ୍ମୀ ଶବର, ଗଦି ବରିହା, ରଞ୍ଜିତ ସାହୁ, ବିଟୁ ମିତ୍ତଳ, ରଞ୍ଜନ ସାହୁ, ରବୀନ୍ଦ୍ର ଥପା, ଡିଙ୍ଗର କୁମ୍ଭାର, ସୁବାସ ଆଚାର୍ଯ୍ୟ, ଧର୍ମରାଜ ବରିହା, ମିତ୍ରଭାନୁ ଭୁଏ, ମଣ୍ଟୁ ବୁଡ଼େକ, ସରସ୍ୱତୀ ବରିହା, ଶଶି ଧରୁଆ, ତୁଷ ବୁଡ଼େକ ପ୍ରମୁଖ ସା‌ମିଲ ଥିଲେ।

ସମ୍ବନ୍ଧିତ ଖବର