ସଚିବାଳୟରେ ହେଲା ସମୀକ୍ଷା : ୬ ମାସରେ କୋଟିଆର ହେବ ନବକଳେବର

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ୍‌ ଅନ୍ତର୍ଗତ କୋଟିଆ ଗ୍ରାମସମୂହର ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଜୋର୍‌ଦାର୍‌ ହୋଇଛି। ଆଜି ସଚିବାଳୟରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ବିଭିନ୍ନ ବିଭାଗର ସଚିବଙ୍କ ଉପସ୍ଥିତିରେ କୋଟିଆର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, କୋଟିଆରେ ଅନେକ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୬ ମାସ ଭିତରେ କୋଟିଆର ନବକଳେବର ହେବ ବୋଲି ସେ ଜୋର୍‌ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ କୋଟିଆର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଯେଉଁ ବିକାଶର ନକ୍ସା ପ୍ରସ୍ତୁତ କରାଯାଇଥିଲା ସେଥିରେ ସନ୍ତୋଷଜନକ ଅଗ୍ରଗତି ହୋଇଛି। ସେବାଶ୍ରମ ସ୍କୁଲ୍‌କୁ ହାଇସ୍କୁଲ୍‌କୁ ଉନ୍ନୀତ କରାଯାଇଛି। ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ହାଇସ୍କୁଲ୍‌ ନିମନ୍ତେ ୧୦ଟି ଶ୍ରେଣୀଗୃହ, ଛାତ୍ରଛାତ୍ରୀଙ୍କ ନିମନ୍ତେ ପୃଥକ ଛାତ୍ରାବାସ ଓ ଶିକ୍ଷକମାନଙ୍କ ନିମନ୍ତେ କ୍ୱାର୍ଟର୍ସ ନିର୍ମାଣ କରାଯାଉଛି। ହାଇସ୍କୁଲ୍‌ ନିମନ୍ତେ ୧୧ଟି ଶିକ୍ଷକ ଓ ଅଣଶିକ୍ଷକ ପଦବି ମଞ୍ଜୁର କରାଯାଇଛି।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ କୋଟିଆ ଗ୍ରାମପଞ୍ଚାୟତରେ କାର୍ଯ୍ୟକ୍ଷମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱତନ୍ତ୍ର ଭାବେ ଏକ ୧୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନୀତ କରାଯାଉଛି। ୨ କୋଟି ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲ୍‌ ନିମନ୍ତେ ଟେଣ୍ଡର୍‌ ଆହ୍ଵାନ କରାଯାଉଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଉନ୍ନତି ନିମନ୍ତେ ରାସ୍ତା ନିର୍ମାଣ ଦିଗରେ ପ୍ରାୟ ୮ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋଟିଆ-ତାଡ଼ିଭାଲ୍‌ସା ୧୫ କିମି ରାସ୍ତାର ନିର୍ମାଣ ନିମନ୍ତେ ଟେଣ୍ଡର୍‌ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥି ସହିତ ହାଇଲେଭଲ୍‌ ବ୍ରିଜ୍‌ ସମେତ ୭ଟି ରାସ୍ତା ନିର୍ମାଣ ନିମନ୍ତେ ୮.୧୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ସେଠାରେ ଥିବା ହାଟରେ ଆବଶ୍ୟକ ପିଣ୍ଡି ଓ ଅନ୍ୟାନ୍ୟ ଭିତ୍ତିଭୂମି ନିମନ୍ତେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏକ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଖୋଲାଯାଇଛି। ଜଙ୍ଗଲ ଅଧିକାର ଆଇନ୍‌ରେ କୋଟିଆ ଗ୍ରାମପଞ୍ଚାୟତର ୧୬୭୨ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ଯାତ୍ରୀ ପରିବହନ ସୁବିଧା ନିମନ୍ତେ କୋଟିଆରୁ ସିମିଳିଗୁଡ଼ା ଓ ପଟ୍ଟାଙ୍ଗୀ ପର୍ଯ୍ୟନ୍ତ ୩ଟି ବସ୍‌ ଚାଲୁଛି।

ସେଠାରେ ଇଣ୍ଟର୍‌ନେଟ୍‌ ଯୋଗାଯୋଗ ନିମନ୍ତେ ରାଜ୍ୟ ସରକାର ଓ ବିଏସ୍‌ଏନ୍‌ଏଲ୍‌ ସହଭାଗିତାରେ ଭିସାଟ୍‌ ସେବା ଉପଲବ୍ଧ କରାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ସେଠାରେ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ନିମନ୍ତେ ସଂପୃକ୍ତ ବିଭାଗ ପକ୍ଷରୁ ଜଣେ ଲେଖାଏଁ ନୋଡାଲ୍‌ ଅଫିସର୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରତି ୩ ମାସରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜିର ବୈଠକରେ ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌, କେବିକେ ମୁଖ୍ୟ ପ୍ରଶାସକ ଏସ୍‌ ପି ଠାକୁରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର