କୋଟିଆ ପ୍ରସଙ୍ଗ : ଆଇନଗତ ଲଢ଼େଇକୁ ପ୍ରଭାବୀ କରିବେ ସରକାର

ସବୁ କାଗଜପତ୍ର ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନି‌ର୍ଦେଶ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶ ପ୍ରଶାସନ କୋଟିଆରେ ପଶି ପଞ୍ଚାୟତ ନିର୍ବାଚନ କଲା ପରେ ଓଡ଼ିଶା ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ଆନ୍ଧ୍ରପ୍ରଦେଶ ପ୍ରଶାସନକୁ ରୋକିବା ପାଇଁ ସରକାର ଠୋସ୍‌ ପଦକ୍ଷେପ ନେଇପାରି ନାହାନ୍ତି ବୋଲି ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିବା ବେଳେ ଏବେ ଆଇନଗତ ଲଢ଼େଇକୁ ପ୍ରଭାବୀ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। କୋଟିଆ ଓଡ଼ିଶାର ବୋଲି ପ୍ରମାଣିତ କରିବାକୁ ସବୁ ରେକର୍ଡପତ୍ର ଏକାଠି କରୁଛନ୍ତି। ଆସନ୍ତାକାଲି ରାଜସ୍ବ ଓ ଆଇନ ବିଭାଗର ବରିଷ୍ଠ ଅଧିକାରୀ, କୋରାପୁଟ ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସୁପ୍ରିମକୋର୍ଟ ଏଓଆର୍‌ଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ରାଜସ୍ବ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜେଇପଦର, ପାଟୁ ସିନେରି, ଫଗୁଣ ସିନେରୀ ଆଦି ଅଞ୍ଚଳ ମଧ୍ୟ କେରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ। ଏହାକୁ ନେଇ ୧୯୬୯ ମସିହାର ରେକର୍ଡ ପତ୍ର ଏକାଠି କରିବାକୁ କୁହାଯାଇଛି।

କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ଆନ୍ଧ୍ର ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ଓଡ଼ିଶା ସରକାର। ସୁପ୍ରିମକୋର୍ଟ ଆନ୍ଧ୍ରକୁ ଜବାବ ତଲବ କରିଥିଲେ ବି ନିର୍ବାଚନ ଉପରେ ରୋକ୍ ଲଗାଇ ନ ଥିଲେ। ଫଳରେ ଗତ ୧୩ ତାରିଖରେ ନିର୍ବାଚନ ‌େଶଷ ହୋଇଯାଇଛି। ଆସନ୍ତା ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଛି।

ସମ୍ବନ୍ଧିତ ଖବର