ବିଶ୍ବ ଆର୍କିଟେକ୍‌ଚର ପୁରସ୍କାର ଚୂଡ଼ାନ୍ତ ତାଲିକାରେ କୃଷି ଭବନ

ଭୁବନେଶ୍ବର : ବିଶ୍ବ ଆର୍କିଟେକ୍‌ଚର ପୁରସ୍କାର ପାଇଁ ରାଜଧାନୀରେ ଥିବା ‘କୃଷି ଭବନ’ ଚୂଡ଼ାନ୍ତ ମନୋନୟନ ତାଲିକାରେ ସ୍ଥାନ ପାଇଛି। ମନୋରମ କାରୁକାର୍ଯ୍ୟ ଏବଂ ପରିବେଶ ଅନୁକୂଳ ଶ୍ରେଷ୍ଠ ଅଟ୍ଟାଳିକାକୁ ଫୋର୍ବସ ଇଣ୍ଡିଆ ପକ୍ଷରୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା ଡିସେମ୍ବର ୪ରୁ ୬ତାରିଖ ପର୍ଯ୍ୟନ୍ତ ଆମଷ୍ଟରଡାମ୍ ସହ‌ରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ଆର୍କିଟେକ୍‌ଚର ଫେଷ୍ଟିଭାଲରେ ଶ୍ରେଷ୍ଠ ବିବେଚିତ ଅଟ୍ଟାଳିକାଗୁଡ଼ିକୁ ପୁରସ୍କାର ପୁରସ୍କାର ପ୍ରଦାନ କରାଯିବ।

ଆଜି ଏ ସଂପର୍କରେ ଫୋର୍ବସ ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରିଟ୍ବିଟ୍‌ କରି ନିଜର ଖୁସି ଜାହିର କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ୧.୩ଲକ୍ଷ ବର୍ଗଫୁଟ୍‌ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ପ୍ରଶାସନିକ କେନ୍ଦ୍ର ସ୍ଥାନୀୟ ସାମଗ୍ରୀ ଓ ଆଞ୍ଚଳିକ କାରୁକାର୍ଯ୍ୟକୁ ପରିପ୍ରକାଶ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୨୦ତାରିଖରେ ‘କୃଷି ଭବନ’ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ସମ୍ବଲପୁରୀ ଇକ୍କତ ଡିଜାଇନରେ ନିର୍ମିତ ହୋଇଥିବା ଏହି କୋଠା କୃଷି ସଂପର୍କିତ ଲୋକକଥା ଉପରେ ଆଧାରିତ। କୃଷି ଭବନରେ ବ୍ୟବହୃତ ଭିନ୍ନ ଭିନ୍ନ ରଂଗର ଇଟା ରାଜ୍ୟର ବିଭିନ୍ନ ଅଞ୍ଚଳର ମୃତ୍ତିକା ବିବିଧତାର ପ୍ରତୀକ। ଏହାସହ ଭବନରେ ଅଧିକାଂଶ ଭ‌ାଗ ପ୍ରାକୃତିକ ଉପାୟରେ ଶୀତତାପ ନିୟନ୍ତ୍ରିତ, ଯାହା ଶକ୍ତି ସଂଚୟରେ ସହାୟକ ହୋଇପାରୁଛି। ଭବନରେ ବ୍ୟବହୃତ ଜଳ ଶତ ପ୍ରତିଶତ ପୁନଃ ବ୍ୟବହାର ଯୋଗ୍ୟ, ଯାହାକି ସବୁଜ ଅଟ୍ଟାଳିକାର ଅଧିକାଂଶ ମାନକଦଣ୍ଡକୁ ପୂରଣ କରିପାରିଛି।

ସମ୍ବନ୍ଧିତ ଖବର