କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ସାକ୍ଷ୍ୟ ଦେଲେ ଦୁଇ ଅଧିକାରୀ, ଜୁନ୍‌ ୧୭ରେ ପରବର୍ତ୍ତୀ ଶୁଣାଣି

କୋରାପୁଟ/ଜୟପୁର : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆଜି ଦୁଇ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ବିଚାରବିଭାଗୀୟ ତଦନ୍ତ କମିସନ ଆଗରେ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ଦୁଇ ଜଣ ଡିଏସ୍‌ପି ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଘଟଣା ସଂପର୍କରେ ସେମାନେ ତଥ୍ୟ ଦେବା ସହ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି। ଏହା ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍‌ ୧୭ତାରିଖରେ କରାଯିବ। ସେଦିନ ଡାକ୍ତରଙ୍କ ସମେତ ୫ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅକ୍ଟୋବର ୧୦ତାରିଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାରବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଆଜି ଦ୍ୱିତୀୟଥର ପାଇଁ ସାକ୍ଷ୍ୟ ଗ୍ରହଣ କରାଯାଇଛି। କମିସନ ତଥା ଜିଲ୍ଲା ଦୌରାଜଜ୍‌ ବି.କେ. ମିଶ୍ରଙ୍କ ସାମ୍‌ନାରେ ଆଜି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ଓ ଲକ୍ଷ୍ମୀପୁର ଏସ୍‌ଡିପିଓ ତଥା ତତ୍କାଳୀନ ଜୟପୁର ଟାଉନ ଥାନା ଅଧିକାରୀ ତପନ ନାରାୟଣ ରଥ ସାକ୍ଷ୍ୟ ପ୍ରଦାନ କରିଥିଲେ। ଘଟଣା ସଂପର୍କରେ ସେମାନେ ଯାହା ଜାଣିଛନ୍ତି ତାହା କମିସନଙ୍କୁ ଜଣାଇଥିଲେ। ଏହି ମାମଲା ସଂପର୍କିତ ବିଭିନ୍ନ ତଥ୍ୟ ସେମାନେ କମିଶନଙ୍କ ଆଗରେ ଥୋଇଥିଲେ। ଆଗରୁ ଏଥିନେଇ ସତ୍ୟପାଠ ଦାଖଲ କରିଥିଲା ବେଳେ ଆଜି ଏହାକୁ ଦୋହରାଇଥିଲେ।

କମିସନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳ ଓ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ ଏହି ସାକ୍ଷ୍ୟ ଗ୍ରହଣ ସମୟରେ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଗତ ରବିବାର ଦିନର ପ୍ରଥମ ପର୍ଯ୍ୟାୟ ଶୁଣାଣି ସମୟରେ ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗୋ ଓ ମାମଲାର ତଦନ୍ତ ଅଧିକାରୀ ଏଚ୍‌ଆର୍‌ପିସି ଇନ୍ସପେକ୍ଟର ମମତା ପାଣିଗ୍ରାହୀ ସାକ୍ଷ୍ୟ ପ୍ରଦାନ କରିଥିଲେ।

ଆସନ୍ତାକାଲିଠାରୁ ଅଦାଲତର ଖରାଛୁଟି ହେଉଥିବାରୁ ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ଆସନ୍ତା ଜୁନ ୧୭ ତାରିଖରେ କରାଯିବ। ସେଦିନ ସମୁଦାୟ ୫ଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ ବୋଲି ସରକାରୀ ଓକିଲ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର