କୋରାପୁଟ/ଜୟପୁର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ଆଜିଠାରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ବିଚାର ବିଭାଗୀୟ ତଦନ୍ତ କମିଶନ ଆଗରେ ପ୍ରଥମ ଦିନରେ ଦୁଇ ଜଣ ଇନ୍ସପେକ୍ଟର ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଘଟଣା ସଂପର୍କରେ ସେମାନେ ତଥ୍ୟ ଦେବା ସହ ଆବଶ୍ୟକ କାଗଜପତ୍ର ଦାଖଲ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅକ୍ଟୋବର ୧୦ତାରିଖରେ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଚାଲିଥିବାବେଳେ ଆଜିଠାରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ପଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗୋ ଓ ମାମଲାର ତଦନ୍ତ ଅଧିକାରୀ ତଥା ଏଚଆରପିସି ଇନ୍ସପେକ୍ଟର ମମତା ପାଣିଗ୍ରାହୀ ଆଜି ସାକ୍ଷ୍ୟ ପ୍ରଦାନ କରିଥିଲେ। କମିଶନ ତଥା ଜିଲ୍ଲା ଦୌରା ଜଜ୍ ବି.କେ ମିଶ୍ର ଏହି ସାକ୍ଷ୍ୟ ଗ୍ରହଣ କରିଥିଲେ। ଏହି ମାମଲା ସଂପର୍କିତ ବିଭିନ୍ନ ତଥ୍ୟ ସେମାନେ କମିଶନଙ୍କ ଆଗରେ ଥୋଇଥିଲେ। ଆଗରୁ ଏଥିନେଇ ସତ୍ୟପାଠ ଦାଖଲ କରିଥିଲା ବେଳେ ଆଜି ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ଏହି ମାମଲାରେ ସେମାନେ କ’ଣ ଜାଣିଛନ୍ତି, ତଦନ୍ତ ସମୟରେ କି ପ୍ରମାଣ ହାତରେ ଲାଗିଛି, ପାରିପାର୍ଶ୍ୱିକ ସ୍ଥିତିରୁ କ’ଣ ତଥ୍ୟ ସଂଗ୍ରହ କରିଛନ୍ତି ତାହା କମିଶନଙ୍କ ଆଗରେ କହିଥିଲେ। କମିଶନଙ୍କ ସଚିବ ହିମାଂଶୁ ଶେଖର ବିଶ୍ୱାଳ ଓ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ ଏହି ସାକ୍ଷ୍ୟ ଗ୍ରହଣ ସମୟରେ ଉପସ୍ଥିତ ଥିଲେ। ଆସନ୍ତା ରବିବାର ଆଉ ଦୁଇଜଣଙ୍କର ସାକ୍ଷ୍ୟ ଗ୍ରହଣ କରାଯିବ। କ୍ରାଇମ ବ୍ରାଂଚ ଡିଏସପି ସୌଭାଗ୍ୟ ଲକ୍ଷ୍ମୀ ପଟ୍ଟନାୟକ ଓ ତତ୍କାଳୀନ ଜୟପୁର ଟାଉନ ଥାନା ଅଧିକାରୀ ତପନ ନାରାୟଣ ରଥଙ୍କ ସାକ୍ଷ୍ୟ ଗ୍ରହଣ ହେବ ବୋଲି ଜଣାପଡିଛି। ଏ ସଂପର୍କରେ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକ କହିଛନ୍ତି ଯେ, କୁନ୍ଦୁଲି ମାମଲାରେ ଆଜି ଦୁଇ ଜଣ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସେମାନେ ଏହି ମାମଲାର ତଦନ୍ତ ସମୟରେ ଯାହା କିଛି ତଥ୍ୟ ପ୍ରମାଣ ପାଇଥିଲେ ସେହି ଅନୁସାରେ କମିଶନଙ୍କ ପାଖରେ ନିଜ ପକ୍ଷ ରଖିଥିଲେ। ଆସନ୍ତା ରବିବାର ଆଉ ଦୁଇଜଣଙ୍କର ସାକ୍ଷ୍ୟ ଗ୍ରହଣ ହେବ ବୋଲି ସେ କହିଛନ୍ତି।
ଏହି ମାମଲାରେ କୁନ୍ଦୁଲି ନିକଟରେ ଯବାନ ପୋଷାକ ପିନ୍ଧିଥିବା ୪ଜଣ ଦୁର୍ବୁତ୍ତ ଏହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ କମିଶନ ବସାଇଥିଲେ। କମିଶନ ପୂର୍ବରୁ ସତ୍ୟପାଠ ଲୋଡିଥିଲା ବେଳେ ଦୁଇ ଥର ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ପୀଡିତାଙ୍କ ପକ୍ଷରୁ କେହି ସତ୍ୟପାଠ ଦେଇ ନ ଥିଲେ। ଅପରପକ୍ଷରେ କେବଳ ସରକାରଙ୍କ ସତ୍ୟପାଠ ଦାଖଲ କରାଯାଇଥିଲା। ପରେ କମିଶନ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ତଥ୍ୟ ସଂଗ୍ରହ କରିଥିଲେ। ଆଜିଠାରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। କିନ୍ତୁ ପୀଡିତାଙ୍କ ପକ୍ଷରୁ କେହି ସତ୍ୟପାଠ ଦାଖଲ କରି ନ ଥିବାରୁ ଏହି ମାମଲାର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖା ଦେଇଛି।