ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିଲା : ବଦଳିବ କୁସମଖୁଣ୍ଟା ଗାଁର ଚିତ୍ର

ନବରଙ୍ଗପୁର/ମଇଦଲପୁର : ଟଙ୍କିକିଆ ଚାଉଳ ପାଇଁ ଜଙ୍ଗଲିଆ ରାସ୍ତାରେ ଯିବାକୁ ପଡ଼ୁଥିବା ୧୨କିଲୋମିଟର। ଦୁଇ ଦିନ ସମୟ ଲାଗି ଯାଉଥିଲା। ଯେତିକି ଚାଉଳ ପାଉଥିଲେ ତାହା ମଧ୍ୟ ପୂରା ମାସ ଯାଉ ନଥିଲା। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଅନ୍ତର୍ଗତ କୁସମଖୁଣ୍ଟା ଗ୍ରାମବାସୀଙ୍କ ଏମିତି ଅବସ୍ଥା ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ପ୍ରଶାସନ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏହାର ତଦନ୍ତ ଓ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଆସିଛି। ଏହାପରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେବର୍ତ୍ତା ସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀ କିଭଳି ସହଜରେ ଚାଉଳ ପାଇବେ ସେଥିପାଇଁ ପାପଡାହାଣ୍ଡି ବିଡିଓଙ୍କୁ ଚିଠି କରିଛନ୍ତି।

ଆଜି ପାପଡାହାଣ୍ଡି ବିଡିଓ ରଂଜିତା ମଲ୍ଲିକ, ମଇଦଲପୁର ପିଇଓ ରମେଶ ଚନ୍ଦ୍ର ହରିଜନ, ସମାଜସେବୀ ପଦଲାମ ଜାନୀ ପ୍ରମୁଖ କୁସମଖୁଣ୍ଟା ଗାଁରେ ପହଞ୍ଚିଥିଲେ। ଲୋକେ କିପରି ଭାବେ ଯା’ଆସ କରୁଛନ୍ତି, ପିଇବା ପାଣି ସମସ୍ୟା ଆଦି ମୌଳିକ ସୁବିଧାରୁ କିଭଳି ଭାବେ ବଞ୍ଚିତ ହେଉଛନ୍ତି ସେ ସଂକ୍ରାନ୍ତରେ ପଚାରି ବୁଝିଥିଲେ। ଲୋକେ ୭ କିମି ଦୂର ଗାଦବାକତରା ଗାଁରୁ ଚାଉଳ ଆଣିବା ପାଇଁ ସହମତି ପ୍ରକାଶ କରିଥିଲେ। ଗାଁକୁ ଜଙ୍ଗଲିଆ ରାସ୍ତା ରହିଛି। ତେଣୁ ଜଙ୍ଗଲ ବିଭାଗର ଅନୁମତି ମିଳିଲେ ରାସ୍ତା ନିର୍ମାଣ ହୋଇପାରିବ। ଏହାପରେ ହିଁ ନଳକୂପ ଖନନ ପାଇଁ ଗାଡ଼ି ଗାଁରେ ପହଞ୍ଚିବ ବୋଲି କୁହାଯାଇଥିଲା।

ଗ୍ରାମବାସୀ ନଳକୂପ ଖନନକୁ ବାରଣ କରିଥିଲେ। କାରଣ ଗାଁରେ ଥରେ କୂଅ ଖନନ କରାଯାଇଥିଲା। ପଥର ପଡିଯିବାରୁ ଖନନରେ ବାଧା ସୃଷ୍ଟି ହୋଇଥିଲା। କୂଅକୁ ପୋତି ଦିଆଯାଇଥିଲା। ସାମାଜିକ ଓ ଅର୍ଥନୈତିକ ସର୍ଭେ ତାଲିକାରେ ଗ୍ରାମବାସୀ ଯୋଡ଼ି ହୋଇନଥିବାରୁ ଆବାସ ଯୋଜନା ମିଳିପାରି ନାହିଁ। ନିର୍ବାଚନ ପୂର୍ବରୁ ପୁଣି ଗୋ‌ଟିଏ ତାଲିକା ସରକାରଙ୍କ ନିକଟକୁ ପଠାଯାଇଛି। ସେହି ତାଲିକା ଆସିଲା ପରେ ପର୍ଯ୍ୟାୟକ୍ରମେ ଆବାସ ଯୋଜନାରେ ଗୃହ ଦେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପିଇଓ। ଗାଁଟି ଜଙ୍ଗଲ ଜମିରେ ରହିଥିବାରୁ ବନ ବିଭାଗର ଅନୁମତି ମିଳିଲେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରାଯିବ ବୋଲି କୁହାଯାଇଥିଲା। କଂକ୍ରିଟ ରାସ୍ତା ନିର୍ମାଣ ନିମନ୍ତେ ବି କହିଥିଲେ ଅଧିକାରୀ। ଅଧିକାଂଶ ସୁବିଧା ଦିଆଯାଉଛି ଏବଂ ଯାହା ବଳକା ରହିଛି ତାହା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଦୁର୍ଗମ ଅଞ୍ଚଳରେ ଥିବା କୁସମଖୁଣ୍ଟା ଗାଁକୁ ପକ୍କା ରାସ୍ତା ନାହିଁ।

ସମ୍ବନ୍ଧିତ ଖବର