ଲଖିମପୁରର ଚାଷୀ ମୃତ୍ୟୁ ମାମଲା: ଏସ୍‌ଆଇଟି ତଦନ୍ତ ଦାବି କଲେ ଯୋଗେନ୍ଦ୍ର

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରାଯାଉ
ଉତ୍ତରପ୍ରଦେଶରେ ବଦ୍ଦି ପିନ୍ଧା ଗୁଣ୍ଡାଙ୍କ ରାଜୁତି ଚାଲିଛି

ଭୁବନେଶ୍ୱର : ଉତ୍ତରପ୍ରଦେଶ ଲଖିମପୁରର ଚାଷୀ ମୃତ୍ୟୁ ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଦାୟୀ। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଉ। ଏହା ସହ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଗାଦି ଛାଡ଼ିବାକୁ ନିର୍ଦ୍ଦେଶ ଏବଂ ଉଚ୍ଚତମ ନ୍ୟାୟାଳୟ ନିରୀକ୍ଷଣରେ ଏସ୍‌ଆଇଟି ଦ୍ବାରା ଘଟଣାର ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚାର ଯୋଗେନ୍ଦ୍ର ଯାଦବ।

ସେ କହିଛନ୍ତି, ଲଖିମପୁରରେ କେବଳ ଚାଷୀଙ୍କୁ ନୁହେଁ, ଗଣତନ୍ତ୍ର ଓ ସମ୍ବିଧାନକୁ ଦଳି ଦିଆଗଲା। ଏଭଳି ବୀଭତ୍ସ ଘଟଣା ପରେ ପଞ୍ଜାବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମେତ କୌଣସି ବିରୋଧୀ ଦଳ ନେତାଙ୍କ ପ୍ରବେଶ ନେଇ ନିଷେଧାଦେଶ ଲଗାଯାଇଛି। ଉତ୍ତରପ୍ରଦେଶକୁ ଯିବା ପାଇଁ କ’ଣ ଭିସା, ପାସ୍‌ପୋର୍ଟର ଆବଶ୍ୟକ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକୃତରେ ଲଗାତାର ଚାଷୀ ଆନ୍ଦୋଳନରେ ଶାସକ ବିଜେପି ବିଚଳିତ ହୋଇଯାଇଛି। ରବିବାର ଚାଷୀଙ୍କ ସହ ହୋଇଥିବା ଘଟଣାର କିଛି ସମୟ ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ପ୍ରତିଶୋଧ ନିଅ, ଜେଲ ଯିବାକୁ ଭୟ କର ନାହିଁ ବୋଲି କହିଥିଲେ। ସେହିଭଳି ହିଂସକ କଥା ଆଜୟ ମିଶ୍ର ମଧ୍ୟ କହିଥିଲେ। ଯୋଗେନ୍ଦ୍ର କହିଛନ୍ତି, ହିଂସାର ଉତ୍ତର ହିଂସା ନୁହେଁ, ବରଂ ଶାନ୍ତିରେ ଦିଆଯିବ। କେବଳ ଆଜି ନୁହେଁ, କିଛି ବର୍ଷ ହେଲା ଉତ୍ତରପ୍ରଦେଶରେ ଆଇନ ନୁହେଁ, ବର୍ଦି ପିନ୍ଧିଥିବା ଗୁଣ୍ଡାଙ୍କ ରାଜୁତି ଚାଲୁଛି ବୋଲି ସେ କିହଥିଲେ।

ସମ୍ବନ୍ଧିତ ଖବର